ଦୁର୍ଘଟଣାରେ ମାଁ ର ମୃତ୍ୟୁ, ବାପାର ଗୋଡ଼ କଟିଲା,୧୩ବର୍ଷର କାଜଲ ଉପରେ ପରିବାରର ଦାୟିତ୍ୱ, ସରକାରୀ ସହଯୋଗ ଅପେକ୍ଷାରେ ପରିବାର।

ନୂଆପଡ଼ା(କୋଶଳ ନ୍ୟୁଜ) ଦୁର୍ଘଟଣା ରେ ମାଁ ଚାଲିଗଲା, ପାଦ କଟି ସବୁଦିନ ପାଇଁ ଅକ୍ଷମ ହୋଇଗଲା ବାପା।ତିନି ଭାଇ ଭଉଣୀଙ୍କୁ ସାହା ହେବାକୁ କେହି ନାହିଁ କି ଆହା କରିବାକୁ କେହି ନାହିଁ।ଝିଅ କାଜଲ(୧୩)ଉପରେ ଭିନ୍ନକ୍ଷମ ବାପା ଓ ଦୁଇ ଭାଇ ଭଉଣୀଙ୍କ ଗୁରୁ ଦାୟିତ୍ୱ । ଯେଉଁ ବୟସ ଖେଳିବା ବୁଲିବାର ବୟସ,ଯେଉଁ ବୟସରେ ବହି ପତ୍ର ଧରି ବିଦ୍ୟାଳୟ ଯିବାର ବୟସ, ସେ ବୟସରେ ପରିବାରର ଦାୟିତ୍ୱ ନେବାକୁ ପଡୁଛି କାଜଲ କୁ ।ଗତ ଜାନୁୟାରୀ ମାସ ୯ତାରିଖ, ସମୟ ସନ୍ଧ୍ୟା।ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମର ନମିତା ହଂସ ରାତ୍ରିଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାଖରେ ବସିଥିଲେ ସ୍ୱାମୀ ନରେଶ ହଂସ ।ଦୁହେଁ ସୁଖଦୁଃଖ ହେଉଥିବା ବେଳେ ହଠାତ ଦୁଃଖର ବଜ୍ରପାତ ପଡିଲା।ଭାରସାମ୍ୟ ହରାଇ କାରଟିଏ ମାଡିଗଲା ଘର ଭିତରକୁ।କେହି କିଛି ବୁଝିବା ପୂର୍ବରୁ ଚାଲିଗଲା ନମିତାଙ୍କ ଜୀବନ।ଗୁରୁତର ଅବସ୍ଥାରେ ନରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କର ପାଦ କାଟିବାକୁ ପଡିଲା।ସମସ୍ତେ ଆସିଲେ କିନ୍ତୁ କେହି ସହଯୋଗ କଲେନି।ନିଜ ସଞ୍ଚିତ ୫୦ହଜାର ଟଙ୍କା ଚିକିତ୍ସା ରେ ଖର୍ଚ୍ଚ କଲେ ନରେଶ।ଏବେ ଦୟନୀୟ ଅବସ୍ଥାରେ ଜୀବନ ଜିଇବାକୁ ପଡୁଛି।ଏକ ହ୍ବିଲ ଚେୟାର ରେ ବସି ଭଙ୍ଗା ଦଦରା ଗୁହାଳ ଘରେ ବସି ନୀରବରେ ଅଶ୍ରୁପାତ କରିବା ସାର ହେଉଛି।ତିନି ପୁଅ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ନରେଶ।
ପରିବାରର ଏହି ଦୁର୍ଦ୍ଦିନରେ କିନ୍ତୁ ହାର ମାନୁନାହିଁ ବଡ ଝିଅ କାଜଲ।ଭିନ୍ନକ୍ଷମ ବାପାଙ୍କ ସେବା ଶୁଶ୍ରୁଷା ସହ ଦୁଇ ଭାଇ ସୁପେଶ(୧୦) ଓ ଲଳିତ ମୋହନ(୬)ଙ୍କ ସବୁ ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଛି ସେ।ଘରର ଯାବତୀୟ କାର୍ଯ୍ୟ ସମ୍ପାଦନ ସହ ଭାଇ ମାନଙ୍କୁ ପଢିବାରେ ମଧ୍ୟ ସହଯୋଗ କରୁଛି।
ଏହି ପରିବାରକୁ କିନ୍ତୁ ପ୍ରଶାସନ କୌଣସି ସହଯୋଗ କରୁନି। ଭତ୍ତା ଖଣ୍ଡେ ମିଳି ପାରିନି କି ଘର ଖଣ୍ଡେ ମିଳି ପାରୁନି।ପ୍ରଶାସନ ଏନେଇ ତୁରନ୍ତ ବିଚାର କରିବାକୁ ଆମ କୋଶଳ ନ୍ୟୁଜ ତରଫରୁ ଅନୁରୋଧ କରୁଛୁ।

Comments (0)
Add Comment