ସମ୍ପନ୍ନ ହେଲା କାନକୁଟୁରୁ ଦ୍ୱିତୀୟ ଷୋହଳ ପ୍ରହର ନାମଯଜ୍ଞ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧିରେ ଧିରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖିବାକୁ ମିଳୁଛି। ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ବି ଏବେ ବହୁମାତ୍ରାରେ ହରିନାମ ସଂକୀର୍ତନ ଅଖଣ୍ଡ ନାମଯଜ୍ଞ ଦେଖିବାକୁ ମିଳୁଛି। ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ କାନକୁଟୁରୁ ପଞ୍ଚାୟତ ସ୍ଥିତ କାନକୁଟୁରୁ ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ କ୍ରମେ ରବିବାର ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିବାବେଲେ ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ଏନେଇ ଶନିବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ କଳସ୍ୟାଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳ ଘ.୦୭:୩୦ ମି.ସମୟରୁ ପବିତ୍ର ଅଖଣ୍ଡ ନାମ ଆରମ୍ଭ ହୋଇଥିବାବେଳେ ଏହା ମଙ୍ଗଳବାର ନାମ ବିଶ୍ରାମ ବା ପୂର୍ଣ୍ଣାହୁତି ହୋଇଯାଇଥିଲା । ଏଥିରେ ଶହ ଶହ ସଂଖ୍ୟକ ଜନସମାଗମରେ କାନକୁଟୁରୁ ଗାଁକୁ ବେଶ ବିମୋହିତ କରିଥିଲା। କାନକୁଟୁରୁ ଷୋହଳ ପ୍ରହର ନାମ ଯଜ୍ଞ କମିଟି ତଥା ଗ୍ରାମବାସୀଙ୍କ ମିଳିତ ଆୟୋଜନ କ୍ରମେ ପୂର୍ବରୁ ଅଷ୍ଟ ପ୍ରହର ନାମ ଯଜ୍ଞ ହେଉଥିବା ବେଳେ ଉକ୍ତ ପ୍ରହରୀ ପଡ଼ିଆ ଠାରେ ହିଁ ପ୍ରତି ବର୍ଷ ଭଳି ଏବର୍ଷ ଦ୍ୱିତୀୟ ତମ ଷୋହଳ ପ୍ରହର ନାମ ଯଜ୍ଞ ହୋଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଜନସାଧାରଣଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହି ନାମ ଯଜ୍ଞରେ ମୂଖିଗୁଡ଼ା,ବୁଡ଼ିପଦର,ଅମଠା,ବୋରଗୁଡ଼ା,ଲୁଥୁରବନ୍ଧ,ରଘୁନାଥପୁର,କାଣ୍ଡା ମା ଓ କାନକୁଟୁରୁ ସଂକୀର୍ତନ ଦଳ ଏହିପରି ୮ଗୋଟି ଦଳ ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ନାମଯଜ୍ଞରେ ପୂଜକ ପଣ୍ଡିତ ଭାବରେ କୈଳାସ ଚନ୍ଦ୍ର ଦାସ ପୂଜନ କାର୍ଯ୍ୟ ପରିଚାଳନା କରୁଥିବାବେଳେ ପ୍ରଶାନ୍ତ କୁମାର ଦାସ ଜପକ କାର୍ଯ୍ୟ ସମ୍ପାଦନ କରିଥିଲେ।ଏଥିରେ ମଧୁସୁଦନ ମାଝୀ ଓ ତାଙ୍କ ଧର୍ମପତ୍ନୀ ରିଙ୍ଗ ମାଝୀ ଦମ୍ପତି ଯଜ୍ଞକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଏହି ନାମ ଯଜ୍ଞରେ ନିଜକୁ ଭକ୍ତି ଭାବନାରେ ସମର୍ପିତ କରିବାପାଇଁ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥିବାବେଳେ ପୁରା କାନକୁଟୁରୁ ଗ୍ରାମ ଲୋକାରନ୍ୟ ହୋଇପଡ଼ିଥିଲା। ଆନନ୍ଦ ବଜାରରେ ଆବାଳ ବୃଦ୍ଧ ବନିତା ତଥା ହଜାର ହଜାର ଭକ୍ତ ଆନନ୍ଦର ସହ ଅନ୍ନ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍).

Comments (0)
Add Comment