ବିକାଶ ଖୋଜୁଛି ବ୍ଲକ ଅଧ୍ଯକ୍ଷାଙ୍କ ପଞ୍ଚାୟତ ଭୁର୍ତ୍ତିଗଡ଼

  • ମୁଣ୍ଡାବାହାଲ ଗାଁରେ ପାନୀୟ ଜଳ ଓ ବିଜୁଳି ସାତ ସପନ.
  • ଭୋଟ୍ ବର୍ଜନର ଚେତାବନୀ

ଲାଞ୍ଜିଗଡ,୧୪/୦୪(କୋଶଲ ନ୍ୟୁଜ୍):ବଣ ପାହାଡ ଭିତରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କିପରି ଜୀବନ ଜାପନ କରୁଛନ୍ତି ସେମାନଙ୍କ ସମସ୍ୟା ସବୁ କ’ଣ ରହିଛି। ଏମାନଙ୍କ ପାଇଁ ସରକାର ଓ ପ୍ରଶାସନର ଦରଦ କେତେ ଏସବୁ ବିଷୟ ବଖାଣ କରୁଛି ଅପହଞ୍ଚ ମୁଣ୍ଡାବାହାଲ ଗାଁ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତ ଅଧୀନରେ ରହିଛି ଏହି ମୁଣ୍ଡାବାହାଲ ଗାଁ । ଏହି ଗାଁରେ ୩୫ ଘର ଆଦିବାସୀ ତଥା ଗଣ୍ଡ ସଂପ୍ରଦାୟର ଲୋକେ ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ହେଲା ବସବାସ କରି ଆସୁଛନ୍ତି।କିନ୍ତୁ ଦେଶ ସ୍ବାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗାଁ ସମସ୍ୟା ଚାରି ଛକରେ ବନ୍ଧା ପଡିଛି। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭୁର୍ତ୍ତିଗଡ ପଞ୍ଚାୟତ ଭୁର୍ତ୍ତିଗଡ଼ର ହରିଶଙ୍କର ପାତ୍ରଙ୍କ ଧର୍ମପତ୍ନୀ କମଳା ପାତ୍ର ପୋଖରୀବନ୍ଦ ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ବର୍ତ୍ତମାନ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଛନ୍ତି।କିନ୍ତୁ ଏହି ମୁଣ୍ଡାବାହାଲ ଭୁର୍ତ୍ତିଗଡ଼ ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୧ କି:ମି ଦୂରରେ ରହିଥିବା ବେଳେ ପାନୀୟଜଳ,ବିଜୁଳି ସବୁ ଦୃଷ୍ଟିରୁ ଅବହେଳିତ ହୋଇ ରହିଥିବା ବେଳେ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉପହାସ କରୁଛି ଏହି ଗାଁ। ଆଜିକୁ ୧୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୂଖ୍ୟ ସମସ୍ୟା ହେଉଛି ପାନୀୟ ଜଳ ଓ ବିଜୁଳି।ଗାଁରେ ଜଳ ସଙ୍କଟ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗତ ୩ ବର୍ଷ ତଳେ ଗାଁ ମୁଣ୍ଡରେ ସୌରଚାଳିତ ଏକ ଅଭରହେଡ ପାଣିଟାଙ୍କି ନିର୍ମାଣ କରାଯାଇଥିଲା।କିନ୍ତୁ ନିର୍ମାଣର ୨ ମାସ ଗାଁ ଲୋକେ ବ୍ୟବହାର କରିବା ପରେ ଆଜିକୁ ୩ ବର୍ଷ ହେଲା ଅଚଳ ଭାବେ ପଡିରହିଛି।ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ମରାମତି ହେଉନାହିଁ।ତେଣୁ ଗ୍ରାମ ନିକଟସ୍ତ ଚାଷ ଜମି କଡ଼ରେ ଥିବା ଝରଣାର ଦୁଇ ପାଖରେ କୁଣ୍ଡ କରି ସେଠାରୁ ବାହାରୁ ଥିବା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ବର୍ଷା ଦିନେ ପାଣି ଗୋଳିଆ ହେଉଥିବା ବେଳେ ଖରା ଦିନେ ଝରଣା ପାଣି ସୁଖୀ ଯାଉଛି। ଏନେଇ ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଲୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଝରଣାରେ ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ବେଳେ ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଏମାନଙ୍କ ଶରୀରରେ ରୋଗ ଘରକରି ରହିଛି।ଗାଁରେ ପ୍ରଥମରୁ ବିଜୁଳି ସଂଯୋଗ ହୋଇନଥିବା ବେଳେ ଗାଁର ପ୍ରତ୍ୟେକ ଘରକୁ ଆଲୋକିତ କରିବା ପାଇଁ ସୌର ପ୍ରକଳ୍ପ ବ୍ୟବସ୍ଥା ହୋଇଛି।କିନ୍ତୁ ବର୍ଷ ବର୍ଷ ହେଲା ଅନେକ ପ୍ରକଳ୍ପ ଅଚଳ ହୋଇଥିବା ବେଳେ ଆର୍ଥିକ ସମ୍ବଳ ଅଭାବ ଯୋଗୁଁ ସେସବୁ ମରାମତି ସମ୍ଭବ ହେଉନ ଥିବା ଗ୍ରାମବାସି କହିଛନ୍ତି। ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରି ନାହିଁ।ଫଳରେ ଡିଜିଟାଲ ଯୁଗରେ ଆଜିବି ଛାତ୍ରଛାତ୍ରୀ ମାନେ ଡିବିରି ଆଲୋକରେ ପାଠ ପଢୁଛନ୍ତି।ନିର୍ବାଚନ ସମୟରେ ଗାଁର ବିକାଶକୁ ନେଇ ଆମକୁ ବିଭିନ୍ନ ପ୍ରତିଶୃତି ଦେଇଥାନ୍ତି କିନ୍ତୁ ନିର୍ବାଚନ ପରେ ଆମ ଅଭିଯୋଗ ଶୁଣୁନାହାନ୍ତି।ଏଣୁ ବିଜୁଳି ଓ ପାନୀୟ ଜଳର ବ୍ୟବସ୍ଥା ନ ହେଲେ ଆମେ ଭୋଟ ବର୍ଜନ କରିବୁ ବୋଲି ଚେତାବନି ଦେଇଛନ୍ତି ମୁଣ୍ଡାବାହାଲ ଗ୍ରାମବାସି।ତେଣୁ ଏହି ଗାଁର ସମସ୍ୟା ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧି ମାନେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍)

Comments (0)
Add Comment