ଦେବଗଡ଼ (କୋଶଲ ନ୍ୟୁଜ୍):- ଗତକାଲି ତା‐୨୫.୧୨.୨୦୨୪ମଃ ବୁଧବାର ଦିନ ଓଡ଼ିଶାର ପଶ୍ଚିମାଞ୍ଚଳ ବଲାଙ୍ଗିର ଜିଲ୍ଲାର ଆଗଲପୁରଠାରେ ସଂଯୋଗୀ ସାହିତ୍ଯ ସଂସଦ,କୁଣ୍ଡାପିଠା,ଘଟଗାଁ, କେନ୍ଦୁଝରର ବାର୍ଷିକ ସାରସ୍ବତ ମହୋତ୍ସବ ‐୨୦୨୪ ପାଳନ ଅବସରରେ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲାର ୨୦ ଜଣ କବି ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି | ଏହି କ୍ରମରେ ବାମଣ୍ଡାର ଗୌରବ କଣ୍ଢଳ ଗ୍ରାମର ଯୁବକବି ଶ୍ରୀଯୁକ୍ତ ବେଣୁଧର ବେହେରା ଓ ବୁଢ଼ାବାହାଳର ଯୁବକବି ଶ୍ରୀଯୁକ୍ତ ଭେଷଜ କୁମାର ଭୋଜ ସଂଯୋଗୀ ସଜଫୁଲ ସାହିତ୍ଯ ସମ୍ମାନ‐୨୦୨୪ରେ ସମ୍ମାନିତ ହୋଇଛନ୍ତି | ବିଭିନ୍ନ ସାହିତ୍ଯ ଅନୁଷ୍ଠାନ ତରଫରୁ ସେହି ଯୁବକବି ଦ୍ବୟଙ୍କୁ ଢେରସାରା ସ୍ବାଗତ କରାଯାଉଛି | ଉକ୍ତ ବାର୍ଷିକ ସାରସ୍ବତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀଯୁକ୍ତ ଜୟନ୍ତ କୁମାର ସିଂଦେଓ ସଭାପତି, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭିକାରୀ ଚରଣ ପ୍ରଧାନ, ମୁଖ୍ୟବକ୍ତା ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର(ବୌଦ୍ଧ) ଓ ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ନାରାୟଣ ଦାସ ପ୍ରମୁଖ ମଞ୍ଚାସିନ ଥିଲେ | ବରଗଡ଼ ଧନୁଯାତ୍ରାର କଂସ ମହାରାଜ ମଞ୍ଚ ପରିଚାଳନା କରିଥିବା ବେଳେ ଡଃ ଲିଙ୍ଗରାଜ ମେହେର କବିତା ସଂଯୋଜନା କରିଥିଲେ | ଏହି କବିତା ପାଠ ଆସରରେ ୬୦ରୁ ଅଧିକ କବି କଳାକାର ଯୋଗ ଦେଇ ସ୍ବରଚିତ କବିତା ପାଠ ସହ ନିଜସ୍ବ କଳା ପ୍ରଦର୍ଶନ କରିଥିଲେ | ସଂଯୋଗୀ ସାହିତ୍ଯ ସଂସଦ,କେନ୍ଦୁଝରର ସଂପାଦକ ଶ୍ରୀଯୁକ୍ତ ବାବୁଲାଲ ପଲେଇ ଓ ଶ୍ରୀଯୁକ୍ତ ସନ୍ତୋଷ କୁମାର ପତି କାର୍ଯ୍ଯକ୍ରମକୁ ଆଗେଇ ନେଇଥିଲେ |