ଦେବଗଡ଼(କୋଶଲ ନ୍ୟୁଜ୍):- ଓଡିଶାର ଗଣପର୍ବ ହେଉଛି ରଜ ଖାଲି ଆଣି ଦେଇନି ଦୋଳି, ପିଠା, ମିଠା କି ପାନର ସୁଆଦ । ଅନେକ ମନୋରଞ୍ଜନ ଓ ପ୍ରତିଯୋଗିତାର ଆୟୋଜନ ହୋଇଛି ଏଇ ରଜରେ । ଆଜିର ରଜ ପର୍ବ ପାଳନ ଅବସରରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ବରଡାନାଳୀ ଗାଁ ରେ ରାଧାକୃଷ୍ଣ କ୍ଲବ ପକ୍ଷରୁ ସଭାପତି ସୁନିଲ୍ ଭୋଇ ଓ ସମ୍ପାଦକ ଲିପନ ଭୋଇଙ୍କ ତତ୍ବାବଧାନରେ ରଜର ରାଣୀ ବା ରେ କୁଇନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସ୍ୱାଗତିକା ଭୋଇ ବିଜୟିନୀ ସାଜି ରଜର ରାଣୀ ହୋଇ ମୁକୁଟ ପିନ୍ଧିଛନ୍ତି ।
ଏହି ପ୍ରତିଯୋଗିତାରେ ୫୦ ରୁ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ନୃତ୍ୟ, ସଙ୍ଗୀତ, ବକ୍ତୃତା, ଏକକ ଅଭିନୟ ଓ ରାମ୍ପ ସୋ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଶେଷରେ ରଜ କୁଇନ ବିଜୟ ମୁକୁଟ ପିନ୍ଧିଥିଲେ ସ୍ୱାଗତିକା ଭୋଇ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିନାୟକ ବେହେରା, ଓ ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ, ସନ୍ତୋଷ ଭୋଇ ନାରାୟଣ ଭୋଇ ଟିକେଶ୍ବର ବେହେରା ପ୍ରମୁଖ ମଞ୍ଚାସିନ ରହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳରେ ରହିଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା କ୍ଲବର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ । ଶେଷରେ ରଜ କୁଇନ ବିଜେତାଙ୍କୁ ଅତିଥିମାନେ ରଜ ମୁକୁଟ ପିନ୍ଧାଇବା ସହ ପୁରସ୍କାର ପ୍ରଦାନ କରିଥିଲେ । ଏହି ରଜ କୁଇନ ଉତ୍ସବ ଆୟୋଜନ ହେବା ଦ୍ୱାରା ଗ୍ରାମାଞ୍ଚଳର ଯୁବତୀମାନେ ଘରୁ ବାହାରି ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶିତ କରିପାରୁଛନ୍ତି । କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଯୁବ ସାମ୍ବାଦିକ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଧାକୃଷ୍ଣ କ୍ଲବ ର ସମସ୍ତ ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।