ଦେବଗଡ଼(କୋଶଲ ନ୍ୟୁଜ୍):- ସମବାୟ ବ୍ୟାଙ୍କ କର୍ମଚାରୀ ଖାଇଗଲେ ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା । ୨୦ହଜାର ଡିପୋଜିଟ ଜାଗାରେ ଜମା କଲେ ୨ ହଜାର ଟଙ୍କା । ଏଭଳି ଘଟଣା ଘଟିଛି, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମଳେହିପଡା ଗ୍ରାମର ଦୁର୍ଯ୍ୟୋଧନ ବେହେରା ଗତ ୨୦୨୩ ମସିହାରେ ରିଆମାଳ ସମବାୟ ବ୍ୟାଙ୍କରେ ଏକ ଖାତା ଖୋଲିଥିଲେ । ଗତ ୦୮.୦୮. ୨୦୨୩ ମସିହାରେ ତାଙ୍କ ଦେହ ଅସୁସ୍ଥତା ଯୋଗୁଁ ବ୍ୟାଙ୍କ ଯାଇ ନପାରି ପାଖରେ ଥିବା ଟଙ୍କାକୁ ବଡ଼ ଝିଅ ବୈଦେଇ ବେହେରାଙ୍କୁ ୨୦ ହଜାର ଟଙ୍କା ରିଆମାଳ ସମବାୟ ବ୍ୟାଙ୍କ ଖାତାରେ ଜମା କରିବାକୁ କହିଥିଲେ ।
ଝିଅ ବୈଦେଇ ବେହେରା ବ୍ୟାଙ୍କରେ ପଇସା ଜମା କରି ରିସିଭ୍ ମଧ୍ୟ ପାଇଥିଲେ ହେଲେ ଖାତା ପ୍ରିଣ୍ଟ କରିବାକୁ କହିବାରୁ ବ୍ୟାଙ୍କ କର୍ମଚାରୀ ମେସିନ ଖରାପ ଥିବା କହି ଆଉ କେବେ ଆସିବ ବୋଲି କହି ଫେରାଇ ଦେଇଥିଲେ। ଗତ ୮ ଅକ୍ଟବର ୨୦୨୫ ତାରିଖ ଦିନ ଦୁର୍ଯ୍ୟୋଧନ ବେହେରା ନିଜେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ ହେଲେ ଖାତା ବନ୍ଦ ହୋଇ ଯାଇଥିବା ବ୍ୟାଙ୍କ କର୍ମଚାରୀ କହିଥିଲେ । ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନ କେୱାସି ଦେବା ସହ ୫୦୦ ଟଙ୍କା ଜମା କରିଥିଲେ । କେତେ ଦିନ ପରେ ଟଙ୍କା ଉଠାଇ ପାରିବି ବୋଲି ପ୍ରଶ୍ନ କରିବାରୁ ବ୍ୟଙ୍କ କର୍ମଚ଼ାରୀ କେତେ ଟଙ୍କା ଉଠାଇବ ବୋଲି ପଚାରିଥିଲେ । ଦୁର୍ଯ୍ୟୋଧନ ୧୫ ହଜାର ଟଙ୍କା ଉଠାଇବି ବୋଲି କହିବାରୁ ଆପଣଙ୍କ ଏକାଉଣ୍ଟରେ ଏତେ ଟଙ୍କା ନାହିଁ ବୋଲି କହିଥିଲେ ବ୍ୟାଙ୍କ କର୍ମଚାରୀ । ମୋର ୨୦ ହଜାର ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିବାରୁ ଆପଣ ୨୦୦୦ ଟଙ୍କା ଜମା କରିଥିଲେ ବୋଲି ବ୍ୟାଙ୍କ କର୍ମଚାରୀ କହିଥିଲେ । ତାଙ୍କ ଖାତାରେ ଟଙ୍କା ନଥିବା ଜାଣି ଘରକୁ ଫେରି ପଚରା ଉଚୁରା କରିଥିଲେ । ବଡ ଝିଅ ୫୦୦ ଟଙ୍କିଆ ୪୦ ଟି ନୋଟ ବ୍ୟାଙ୍କରେ ଜମା କରିଥିବା କହିଥିଲ । ୨ ଦିନ ପରେ ବ୍ୟାଙ୍କ ଖାତା ଓ ରିସିଭ୍ ନେଇ ବ୍ୟାଙ୍କ ମ୍ୟାନେଜର ବାବୁଙ୍କୁ ଟଙ୍କା ବିଷୟରେ ପଚାରିଥିଲେ । ବ୍ୟାଙ୍କ ମ୍ୟାନେଜର ଏହା ଖଣ୍ଡନ କରିବା ସହ ତୁମେ ୨୦୦୦ ଟଙ୍କା ପୌଠ କରିଛ ବୋଲି କହିଥିଲେ ! ଦୁର୍ଯ୍ୟୋଧନ ନ୍ୟାୟ ପାଇଁ ରିଆମାଳ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳି ପାରିନାହିଁ । ଅସହାୟ ବୃଦ୍ଧ ଦୁର୍ଯ୍ୟୋଧନ ବେହେରାଙ୍କ ଘରେ ୩ଟି ଝିଅ ଓ ବୃଦ୍ଧା ସ୍ତ୍ରୀ ରହିଛନ୍ତି । ଗ୍ରାମବାସୀଙ୍କ କହିବା କଥା ଗରୀବ ଅସହାୟ ପରିବାରରେ କେହି ପାଠ ସାଠ ପଢିନଥିବା ବେଳେ ଜାଲିଆତି କେମିତି କରି ପାରିବେ ବୋଲି କହିବା ସହ ଦୁର୍ଯ୍ୟୋଧନଙ୍କୁ ନ୍ୟାୟ ପାଇଁ ପ୍ରଶାସନକୁ ଦାବୀ କରିଛନ୍ତି । ଲୋକେ ଟଙ୍କା ଜମା କଲେ ବର୍ଷ ବର୍ଷ ଧରି ପ୍ରିଣ୍ଟର ମେସିନ ଖରାପ ହୋଇ ପଡିଥିଲେ ଶୁଦ୍ଧା ଠିକ ହେଉ ନଥିବା କାରଣରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯାହା ଫଳରେ ଗରୀବ ଅସହାୟ ବୃଦ୍ଧ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଖାତାରୁ ଏହିପରି ଟଙ୍କା ହଡ଼ପ ହେଉଥିବା କାରଣରୁ ବ୍ୟାଙ୍କ ମ୍ୟାନେଜର ଓ କର୍ମଚ଼ାରୀଙ୍କ ଉପରେ ଚାଷୀ ଙ୍କ ଟଙ୍କା ହଡପ କରିଥିବା ନେଇ ସନ୍ଦେହ ସୃଷ୍ଟି କରୁଛି ।