ଦେବଗଡ଼(କୋଶଲ ନ୍ୟୁଜ୍):- ପ୍ୟାନ କାର୍ଡ ପରେ ଏବେ ଭୋଟର ପରିଚୟ ପତ୍ରକୁ ମଧ୍ୟ ଆଧାର ଲିଙ୍କ କରାଯିବ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁସାରେ ଦେଶର ଭୋଟର ତାଲିକା ବ୍ୟବସ୍ଥାରେ ଏକ ବୃହତ୍ ସଂସ୍କାର ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ନିର୍ବାଚନ ଆୟୋଗ ଏପରି କିଛି ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ଦେଶର ଭୋଟରମାନଙ୍କୁ ଦିଆଯାଇଥିବା ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ କରାଯିବା ଦ୍ଵାରା ଭୋଟର ଏବଂ ଭୋଟିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସଂସ୍କାର ଆସିପାରିବ ବୋଲି କେନ୍ଦ୍ର ନିର୍ବାଚନ ଆୟୋଗ ମତବ୍ୟକ୍ତ କରିଛନ୍ତି । ସେହିପରି ଏ ସମ୍ପର୍କରେ ଜାରି ଏକ ବିବୃତିରେ ନିର୍ବାଚନ କମିଶନ କହିଛନ୍ତି ନିର୍ବାଚନ କମିଶନ ଜନ ପ୍ରତିନିଧ୍ଵ ଆଇନ୍ ୧୯୫୦ର ଧାରା ୩୨୬ ଏବଂ ଜନପ୍ରତିନିଧ୍ଵ ଆଇନର ଧାରା ୨୩(୪), ୨୩(୫) ଏବଂ ୨୩(୬) ଏବଂ ଡଚ (ସିଭିଲ) ନମ୍ବର ୧୭୭/୨୦୨୩ ରେ ଆସିଥିବା ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଭୋଟର ପରିଚୟକୁ ଆଧାର ସହିତ ସଂଯୋଗ କରାଯିବା ନିଷ୍ପତି ନିଆଯାଇଛି।
ଏହି କ୍ରମେ ଭୋଟର ପରିଚୟ ପତ୍ରରେ ଉଲ୍ଲେଖ ଥିବା ଇପିଆଇସି ନଂ (ଏପିକ୍ ନଂ) କୁ ଆଧାର ସହିତ ଲିଙ୍କ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଧାର ଓ ଭୋଟର ପରିଚୟ ପତ୍ର ସଂଯୋଗ ନେଇ ନିର୍ବାଚନ କମିଶନର ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଭୋଟର ପରିଚୟ ପତ୍ରକୁ ଆଧାର ଲିଙ୍କ କରାଯିବା ଉପରେ ବ୍ୟାପକ ଆଲୋଚନା ହୋଇଛି। ଆଗାମୀ ଦିନରେ ମଧ୍ୟ ୟୁଆଇଡିଏଆଇ ଏବଂ ନିର୍ବାଚନ କମିଶନର ଅଧିକାରୀଙ୍କ
ମଧ୍ୟରେ ଏ ନେଇ ଅଧିକରୁ ଅଧିକ ଆଲୋଚନା ହେବ । ଭୋଟର ପରିଚୟ ପତ୍ର ଓ ଆଧାର ସଂଯୋଗ ଯୋଜନାକୁ କିପରି ଆଗକୁ ବଢ଼ାଯାଇ ପରିବ ସେ ନେଇ ସମସ୍ତ ବୈଷୟିକ ଦିଗ ଉପରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ପ୍ରକାଶ ଯୋଗ୍ୟ ଭୋଟର ପରିଚୟ ପତ୍ର ସହିତ ଆଧାରକୁ ଲିଙ୍କ କରିବା ପଛରେ ନକଲି ଭୋଟିଂକୁ ରୋକିବା ହେଉଛି ଏକ ବଡ଼ କାରଣ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେବାର ସମ୍ଭାବନା ଦୂର ହେବା ସହିତ ନିର୍ବାଚନ ପ୍ରକ୍ରିୟା ଅଧୂକ ସ୍ଵଚ୍ଛ ହେବ।
ରିପୋର୍ଟ : ପୁଷ୍ପାଞ୍ଜଳୀ ବେହେରା (ଦେବଗଡ )