ରାସ୍ତାର ଅବସ୍ଥା ବେହାଲ: ଶୁଣୁନି ପ୍ରଶାସନ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

ଦେବଗଡ଼(କୋଶଲ ନ୍ୟୁଜ୍):- ଯେଉଁଠି ମୁଖ୍ୟ ରାସ୍ତା ବା ନିତିଦିନିଆ ଯିବା ଆସିବା କରୁଛନ୍ତି ଗ୍ରାମବାସୀ ଏହି ରାସ୍ତାର ଅବସ୍ଥା ଦେଖନ୍ତୁ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ପଳସମା ଗ୍ରାମର ଏହି ମୁଖ୍ୟ ରାସ୍ତା । ଏହି ରାସ୍ତା ଦେଇ ନିତିଦିନ ପଳସମା ଡାକ୍ତରଖାନାକୁ ଯିବା ହେଉ ଅବା ପଞ୍ଚାୟତ କାର୍ଯ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମଧ୍ୟ ଯିବା ଆସିବା କରିଥାନ୍ତି । ଖାଲି ସେତିକି ନୁହେଁ ଏହି ରାସ୍ତା ଅତିକ୍ରମ କଲେ ଆପଣ ରେଙ୍ଗାଲି ବୁଢାପାଳର ମୁଖ୍ୟ NH ରାସ୍ତା ରେ ପହଞ୍ଚିବେ । କାଦୁଅ କଚମଚ ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ ।

ବର୍ଷବର୍ଷ ଧରି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି ଗ୍ରାମବାସୀ । ଆଣ୍ଠୁଏ କାଦୁଅ କଚମଚ ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ । ମୁଖ୍ୟତଃ ବର୍ଷାଋତୁରେ ଏହି ଗାଁ ରାସ୍ତାଟି ବେହାଲ ହୋଇପଡୁଛି । ଅସରାଏ ବର୍ଷାରେ ରାସ୍ତା ଉପରେ ବର୍ଷାପାଣି ଜମି ରହୁଥିବା ଓ ଖାଲ ଖମାରେ ଭର୍ତ୍ତି ଏହି ରାସ୍ତାରେ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଯିବା ଆସିବା ତ ଦୂରର କଥା, ସାଇକେଲରେ ମଧ୍ୟ ଯିବା ଆସିବା ସମ୍ଭବପର ହୋଇପାରୁନି ।

ଗାଁର ଏହି ନିତିଦିନିଆ ରାସ୍ତା ପାଇଁ ଗ୍ରାମବାସୀ ଆଜକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କୁ ଜଣାଇ ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳିପାରୁ ନାହିଁ । ପ୍ରତି ଗାଁକୁ ନିତିଦିନିଆ ରାସ୍ତା ପାଇଁ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ପ୍ରଶାସନିକ ଅବହେଳା କାରଣରୁ ପଳସମା ଗାଁରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ।

Comments (0)
Add Comment