ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆଁ ବାଲିରୋଇ କୁ ସ୍ଥାନାନ୍ତରିତ ଦିନଠାରୁ ଜିଲ୍ଲାର ସମସ୍ତ ଜନସାଧାରଣ ସ୍ଵାସ୍ଥ୍ୟସେବା ପାଇଁ ବିଭିନ୍ନ ପ୍ରକାର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨ ମାସ ପୂର୍ବରୁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ପୁରୁଣା ଡାକ୍ତରଖାନାକୁ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ଦାବି ହୋଇ ଆସୁଛି। ଆଜି ପୁଣି ଥରେ ପୁନର୍ବାର ଆନ୍ଦୋଳନ ଆରମ୍ଭ ହୋଇଛି।
ରବିବାର ଅପରାହ୍ନରେ ଜିଲ୍ଲା ଯୁବ ଏକତା ମଞ୍ଚର ଆବାହକ ସୁରଜିତ ମହାପାତ୍ରଙ୍କ ଆବାହାକ୍ରମେ ଓ ପୌରପରିଷଦ କାଉନସିଲର ଧର୍ମେନ୍ଦ୍ର ଦେବତାଙ୍କ ନେତୃତ୍ୱରେ ମଞ୍ଚର ଶତାଧିକ ସଦସ୍ୟ ମା” ପ୍ରଧାନୀପାଟେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିବା ପରେ ସମସ୍ତେ ପ୍ରଧାନପାଟ ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ନଗର ପରିକ୍ରମା ସହ ଜନସଚେତନତା ସୃଷ୍ଟି କରିବା ପରେ ଗୋପବନ୍ଧୁ ଛକଠାରେ ଆୟୋଜିତ ଖୋଲାମଞ୍ଚ ଆଲୋଚନା ସ୍ଥଳରେ ପହଞ୍ଚି ଥିଲେ। ଖୋଲା ମଞ୍ଚରେ ଶତାଧିକ ଜନସାଧାରଣ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ନିଜର ମତପ୍ରକାଶ କରିଥିଲେ। ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ନ ଯୋଗାଇବା ପର୍ଯ୍ୟନ୍ତ ପ୍ରତିଦିନ ଆନ୍ଦୋଳନକୁ ବିଭିନ୍ନ ଢ଼ଙ୍ଗରେ ରଖିବାକୁ ପ୍ରକାଶ କରିଥିଲେ। ଏହି ମଞ୍ଚରେ ଓଡ଼ିଶା ଡ଼୍ରାଇଭର ମହାସଂଘ, ଆମ୍ବେଦକର ଯୁବ ସଂଘ, ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ, ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ, ବିଭିନ୍ନ ରାଜନୈତିକ ଦଳର ପଦାଧିକାରୀଙ୍କ ସମେତ ବହୁ ବରିଷ୍ଠ ନାଗରିକ ଏବଂ ଶତାଧିକ ପୁରୁଷ ଓ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ।