ମାଲକାନଗିରି (କୋଶଲ ନ୍ୟୁଜ୍):- ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଗୋଟିଏ ପରେ ଗୋଟିଏ ସାଂଘାତିକ ତଥା ବିଷଣ୍ଣ ଚିତ୍ର ସାମନାକୁ ଆସିବାରେ ଲାଗିଛି। ଗୋଦାବରୀ ନଦୀର ପଛୁଆ ପାଣି କାଲିମେଳା ବ୍ଲକ୍ ତଥା ମୋଟୁ ତହସିଲ ଅନ୍ତର୍ଗତ ରାଜସ୍ବ ଗାଁ ବାରିବାଞ୍ଛାକୁ ସଂପୂର୍ଣ୍ଣ ଗିଳିଦେଇଛି।ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଗୋଟିଏ ପରେ ଗୋଟିଏ ସାଂଘାତିକ ତଥା ବିଷଣ୍ଣ ଚିତ୍ର ସାମନାକୁ ଆସିବାରେ ଲାଗିଛି। ଗୋଦାବରୀ ନଦୀର ପଛୁଆ ପାଣି କାଲିମେଳା ବ୍ଲକ୍ ତଥା ମୋଟୁ ତହସିଲ ଅନ୍ତର୍ଗତ ରାଜସ୍ବ ଗାଁ ବାରିବାଞ୍ଛାକୁ ସଂପୂର୍ଣ୍ଣ ଗିଳିଦେଇଛି। ପରିସ୍ଥିତି ବର୍ତ୍ତମାନ ଏମିତି ଯେ ଗୋଟିଏ ରାଜସ୍ବ ଗାଁ ସଂପୂର୍ଣ୍ଣ ଉଜୁଡ଼ିଯାଇଛି। ଏବେ ଗୋଟିଏ ମାତ୍ର ପରିବାର ଗାଁରେ ବସବାସ କରୁଛନ୍ତି। ପୋଲାଭରମ୍ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଗଲେ ଏହି ଗାଁର ଆଉ ଚିହ୍ନବର୍ଣ୍ଣ ରହିବ ନାହିଁ।
ସ୍ବାଧୀନତା ପୂର୍ବରୁ ବାରିବାଞ୍ଛା ଗାଁରେ ଜନବସତି ସ୍ଥାପିତ ହୋଇଥିଲା। ଏଠାରେ ପ୍ରାୟ ୨୫ ପରିବାର ବସବାସ କରୁଥିଲେ। ସ୍ବାଧୀନତା ପରେ ଏହାକୁ ମିଳିଥିଲା ରାଜସ୍ବ ଗାଁର ମାନ୍ୟତା। ଗାଁକୁ ଲାଗି ବୋହିଯାଇଛି ସାବେରୀ ନଦୀ। ୧୯୮୬ ମସିହାରେ ଗୋଦାବରୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ବନ୍ୟାଜଳ ସାବେରୀ ନଦୀରେ ପ୍ରବେଶ କରି ମାଲକାନଗିରି ଜିଲ୍ଲାର ଅନେକ ଗାଁକୁ ବୁଡ଼ାଇ ଦେଇଥିଲା। ଏପରିକି ଅନେକ ଗାଁ ଅସ୍ତିତ୍ବ ହରାଇଥିଲେ। ବନ୍ୟାର ପ୍ରକୋପ କମିବା ସତ୍ତ୍ବେ ବାରିବାଞ୍ଛା ଗାଁର ଅନେକ ଅଞ୍ଚଳ ବୁଡ଼ି ରହିଥିଲା। ତେଣୁ ବହୁ ପରିବାର ବିସ୍ଥାପିତ ହୋଇଥିଲେ। କିଛି ପରିବାର ସର୍ବସ୍ବ ହରାଇ ମୋଟୁ ଅଞ୍ଚଳକୁ ଚାଲିଗଲେ ଏବଂ ଆଉ କିଛି ଛତିଶଗଡ଼ର କୋଣ୍ଟା ଅଞ୍ଚଳରେ ଆଶ୍ରୟ ନେଇଥିଲେ। ଆଜି ପର୍ଯ୍ୟନ୍ତ ବାରିବାଞ୍ଛା ଗାଁର ଅନେକ ଅଞ୍ଚଳ ବୁଡ଼ି ରହିଛି। ବିସ୍ଥାପିତ ପରିବାର ସେହି କାରଣରୁ ନିଜ ଗାଁକୁ ଫେରିନାହାନ୍ତି। ବର୍ତ୍ତମାନ ଏହି ରାଜସ୍ବ ଗାଁରେ କେବଳ ମହମ୍ମଦ ଇସମାଇଲ ଖାନ୍ଙ୍କ ପରିବାର ରହୁଛନ୍ତି।
ପ୍ରତିବର୍ଷ ମୌସୁମୀର ଆଗମନ ସହ ଆଶଙ୍କା ଏବଂ ଆତଙ୍କ ଭିତରେ ରହୁଥିବା କହିଛନ୍ତି ଇସମାଇଲଙ୍କ ପରିବାର। ବର୍ଷା ବଢ଼ିଲେ ଘର ପର୍ଯ୍ୟନ୍ତ ସାବେରି ନଦୀ ପାଣି ଚାଲିଆସୁଛି। ଅନେକ ଦିନ ପର୍ଯ୍ୟନ୍ତ ଜଳବନ୍ଦି ହୋଇ ରହୁଛନ୍ତି। ଜୀବନ ସହ ଜୀବିକାକୁ ବାଜି ଲଗାଇ ଏଠାରେ ବସବାସ କରୁଛନ୍ତି। ଯଦି ୧୯୮୬ ଭଳି ବନ୍ୟା ପୁଣି ହୁଏ ତେବେ ଟାପୁ ଆକାରରେ ରହିଥିବା ଏହି ଗାଁ ନଦୀଗର୍ଭରେ ସବୁଦିନ ପାଇଁ ଲୀନ ହୋଇଯିବ ବୋଲି କହିଛନ୍ତି ଇସ୍ମାଇଲଙ୍କ ପରିବାର। କେବଳ ଏହି ଗୋଟିଏ ଗାଁ ନୁହେଁ, ହାମଲେଟ୍ ଗାଁ ବିନାୟକପୁର, ଆରମା, କୋତାଗୁଡ଼ା ଏବଂ ଲକ୍ଷ୍ମୀପୁରମ ଗ୍ରାମବାସୀ ମଧ୍ୟ ସମାନ କଥା ଦୋହରାଇଛନ୍ତି। ବିଶେଷ କରି ପୋଲାଭରମ ପ୍ରକଳ୍ପ ଆରମ୍ଭ ହେବା ଦିନଠାରୁ ସ୍ଥିତି ଅଧିକ ଗମ୍ଭୀର ହୋଇଛି। ପ୍ରତିବର୍ଷ ଗୋଦାବରୀ ନଦୀର ପଛୁଆ ପାଣି ସିଧାସଳଖ ସାବେରୀ ନଦୀରେ ମିଶୁଛି। ସେଥିପାଇଁ ସାବେରୀ ନଦୀର ଆକାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ମାଇଲ ମାଇଲ ସ୍ଥଳଭାଗ ବର୍ତ୍ତମାନ ସାବେରୀ ଅକ୍ତିଆରରେ। ଚାଷ ପାଇଁ ଭୂମି କମିବା ସହ ଜନବସତି ସଂକୁଚିତ ହେଉଛି। ଆଉ କିଛି ବର୍ଷ ଭିତରେ ଏହି ଅଞ୍ଚଳ ମାନଚିତ୍ରରୁ ସଂପୂର୍ଣ୍ଣ ଲିଭିଯିବା ନିଶ୍ଚିତ ବୋଲି ଅଞ୍ଚଳବାସୀ ଆଶଙ୍କା କରିଛନ୍ତି।