ଅନୁଗୋଳ (କୋଶଲ ନ୍ୟୁଜ୍):- ଆଜି ତା ୧୬/୦୯/୨୦୨୫ ରିଖ ମଙ୍ଗଳବାର ଦିନ ସ୍ବେଛାସେବୀ ଅନୁଷ୍ଠାନ ବିକଳ୍ପ ବିକାଶ ଓଡ଼ିଶା, ତରଫରୁ ଅନୁଗୋଳ ଜିଲ୍ଲା ର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁଣହାଣ୍ଡି ଉଚ୍ଚ ବିଦ୍ୟାଳୟ ଠାରେ (ବିଦ୍ୟାଳୟ କାର୍ଯ୍ୟ ସମୟ ସରିବା ପରେ) “ଜିଲ୍ଲା ଖଣିଜ ପ୍ରତିଷ୍ଠାନ” (PMKKKY) ର ୧୦ ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଅନୁଗୋଳ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାରେ ଚାଲିଥିବା ପ୍ରକଳ୍ପ ‘ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ’ ର ଏକ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା । ପ୍ରଥମେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମର ବ୍ଲକ୍ ସଂଯୋଜକ ଶ୍ରୀଯୁକ୍ତ ଗୌରୀ ଶଙ୍କର ଥାଟି ବୈଠକରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅଜିତ୍ କୁମାର ମେଣ୍ଡୁଲି ( ପ୍ରଧାନ ଶିକ୍ଷକ, ଲୁଣହାଣ୍ଡି ଉଚ୍ଚ ବିଦ୍ୟାଳୟ), ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ନାୟକ ( ବିଜ୍ଞାନ ଶିକ୍ଷକ, ଲୁଣହାଣ୍ଡି ଉଚ୍ଚ ବିଦ୍ୟାଳୟ), ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବାରିକ ( କୃଷି ପର୍ଯ୍ୟବେକ୍ଷକ, ଲୁଣହାଣ୍ଡି), ଶ୍ରୀ ଗଣେଶ ଦେହୁରୀ (ସହକାରୀ ବ୍ଲକ୍ ସଂଯୋଜକ, ଶ୍ରୀ ଅନ୍ନ ଅଭିଯାନ), ଶ୍ରୀ ରଜତ ପ୍ରଧାନ (ଆକାଉଣ୍ଟାଣ୍ଟ, ଶ୍ରୀ ଅନ୍ନ ଅଭିଯାନ ), ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଫଳପ୍ରଦ କରାଇଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ଉଭୟେ ମିଲେଟ୍ ର ବ୍ୟବହାର ବିଷୟରେ ବହୁତ ହିତକାରୀ କଥାବସ୍ତୁ ଆଲୋଚନା କରିଥିଲେ, ଯଥା -ମାଣ୍ଡିଆ ଜାତୀୟ ଶସ୍ୟ ର ଗୁଣାତ୍ମକ ମାନ, ଖାଦ୍ୟର ଉପକାରିତା ଏବଂ ମାଣ୍ଡିଆ ଜାତୀୟ ଶସ୍ୟକୁ ବ୍ୟବହାର ମାଧ୍ୟମରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଦୈନନ୍ଦିନ ବ୍ୟବହାର । କୃଷି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବାରିକ ଚାଷୀ ମାନଙ୍କ ପାଇଁ ବହୁ ଲାଭଦାୟକ କଥାବସ୍ତୁ ସବୁ ଆଲୋଚନା ମାଧ୍ୟମରେ ବୁଝାଇ ଥିଲେ । ଯଥା – ଚାଷୀ ମାନଙ୍କ ପାଇଁ ମାଣ୍ଡିଆ ଚାଷ ର ସୁବିଧା ଓ ଉପକାରିତା, ଚାଷ ର ପଦ୍ଧତି, ସରକାରଙ୍କ ତରଫରୁ ମିଳୁଥିବା ପ୍ରୋତ୍ସାହନ ରାଶି , ଚାଷ ପାଇଁ ଯନ୍ତ୍ରପାତି ର ବ୍ୟବହାର ଓ ସୁବିଧା,ମଣ୍ଡି ରେ ବିକ୍ରି କରିବାର ସୁବିଧା ଏବଂ ଏହି କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଚାଷୀ ସାମିଲ୍ ହୋଇ ଲାଭବାନ୍ ହେବା ସହିତ ସମସ୍ତେ ମାଣ୍ଡିଆ ଜାତୀୟ ଖାଦ୍ୟ ଦୈନନ୍ଦିନ ଖାଦ୍ୟ ଥାଳିରେ ସାମିଲ୍ କରିବେ । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମିଲେଟ୍ ଆଧାରିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ କୃଷି ପର୍ଯ୍ୟବେକ୍ଷକ ଓ ଶିକ୍ଷକ ମାନଙ୍କ ମାଧ୍ୟମରେ ପୁରସ୍କାର ବିତରଣ କରାଯାଇଥିଲା ।ପରେ ମିଲ୍ଲେଟ ତିଆରି ବିଭିନ୍ନ ପ୍ରକାରର ଖାଦ୍ୟ ଅଂଶଗ୍ରହକାରୀ ମାନଙ୍କୁ ପ୍ରଦର୍ଶନ କରାଯାଇ ସମସ୍ତଙ୍କୁ ବଣ୍ଟନ କରଯାଇଥିଲା। ମିଲେଟ ରେ ତିଆରି ବିଭିନ୍ନ ଖାଦ୍ୟ ବହୁତ ସ୍ଵାଦିଷ୍ଟ ଲାଗିଲା ବୋଲି ଅଂଶଗ୍ରହକାରୀ ତାଙ୍କର ମତବ୍ୟକ୍ତ କରିଥିଲେ ।ଶେଷରେ ସହକାରୀ ବ୍ଲକ୍ ସଂଯୋଜକ ଶ୍ରୀ ଗଣେଶ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।