ଡାବୁଗାଁ ଜଙ୍ଗଲରେ ଲାଗିଲା ନିଆଁ,କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ?

ନବରଙ୍ଗପୁର:- ଡାବୁଗାଁ ବନ ବିଭାଗ ଅଧିନସ୍ଥ ଝାଲିଆଗୁଡା ରାସ୍ତା ନିକଟସ୍ଥ ବନରେ ନିଆଁ ଲାଗିଛି। ଫଳରେ ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ କୌଣସି କାରଣରୁ ଝାଲିଆଗୁଡା ପାଖ ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ଅନିୟନ୍ତ୍ରିତ ହେବା ପରେ ମଧ୍ୟ ଡାବୁଗାଁ ବନ ବିଭାଗର କୌଣସି କର୍ମଚାରୀ ନିଆଁ ଲାଗିଥିବା ସ୍ଥାନକୁ ଯାଇନଥିଲେ ବୋଲି ଆଲୋଚନା ହେଉଛି ।ବନ ବିଭାଗର କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ବାଧ୍ୟ ହଇ କିଛି ଲୋକ ଏହି ଘଟଣା ବିଷୟରେ ଡାବୁଗାଁ ଅଗ୍ନିଶମ ବହିନୀକୁ ସୂଚନା ଦେଇଥିଲା। ଖବର ପାଇ ଡାବୁଗାଁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ଯାଇ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବାର ଅଧଘଣ୍ଟା ପରେ ସେଇ ସ୍ଥାନକୁ କିଛି ବନବିଭାଗ କର୍ମଚାରୀ ପହଞ୍ଚି ଥିଲେ । ଅଗ୍ନିଶମ ବାହିନୀ ଘଟମାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନଥିଲେ ଆଜି ଡାବୁଗାଁ ବନାଞ୍ଚଳ ର ଏକର ଏକର ଜଙ୍ଗଲ ଧ୍ୱଂସ ପାଇଁ ଯାଇଥାନ୍ତା । ଏହା ସହ ବହୁ ଔଷଧୀୟ ଗଛ, ବନ୍ୟା ପ୍ରାଣୀ ମଧ୍ୟ ଜଳି ପାଉଁଶ ହଇଯାଇଥାନ୍ତେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ଜଙ୍ଗଲ ସୁରକ୍ଷା ନେଇ ବନବିଭାଗ ଦ୍ୱାରା ସଚେତନତାକାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର ଏବଂ ଖାଲି ପ୍ରହସନ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି ।ଡାବୁଗାଁ ଅଞ୍ଚଲରେ ବନ ବିଭାଗ କର୍ମଚାରୀ ଏବଂ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା କଥା ନକହିବା ଭଲ ।ଏତିକି ପାଇଁ ଧିରେ ଧିରେ ଜଙ୍ଗଲ ଧ୍ବଂସ ହେବାକୁ ବସିଲାଣି ବୋଲି ସାଧାରଣରେ ଚର୍ଚ୍ଚ ହେଉଥିବା ଖବର ମିଳୁଛି ।କାରଣ ଏହି କେତେ ବର୍ଷ ଭିତରେ ଡାବୁଗାଁ ଜଙ୍ଗଲ ପ୍ରାୟତଃ ପତଳା ହୋଇ ଗଲାଣି ! ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଛି ଏବଂ ଡାବୁଗାଁ ବନାଞ୍ଚଳ ଦାଇତ୍ୱରେ ଥିବ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି ।

Comments (0)
Add Comment