ବୈଠକ ସ୍ଥଳରେ ଅଚେତ ହୋଇ ପଡ଼ିଗଲେ ଅଙ୍ଗନବାଡି କର୍ମୀ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ବୈଠକ ଗୃହରେ ମଙ୍ଗଳବାର ଦିନ ଚାଲିଥିବା ଅଙ୍ଗନବାଡି କର୍ମୀଙ୍କ ମାସିକ ବୈଠକରେ ଜଣେ ଅଙ୍ଗନବାଡି କର୍ମୀ ହଠାତ ଅଚେତ ହୋଇ ତଳେ ପଡ଼ିଯିବା ଘଟଣା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଅଙ୍ଗନବାଡି କର୍ମୀ ମାନଙ୍କର ଚଳିତ ମାସର ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଚାଲିଥିବା ବେଳେ ହଠାତ ଲଙ୍କାଗଡ଼ ସେକ୍ସନ ଅନ୍ତର୍ଗତ ବଂଡକିନାଳ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଅଚେତ ହୋଇ ତଳେ ପଡିଯାଇଥିଲେ l ତୁରନ୍ତ ତାଙ୍କୁ ପ୍ରାଥମିକ ଉପଚାର ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା l ସେଠାରେ ତାଙ୍କୁ ଆନ୍ତଃ ବିଭାଗରେ ଭର୍ତି କରି ସାଲାଇନ ଓ ଅନ୍ୟାନ୍ୟ ଔଷଧ ଦିଆଯାଇ ଦୀର୍ଘ ୫ ଘଣ୍ଟା ପରେ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ସୁଧାର ହେବା ପରେ ଗୃହକୁ ଛଡ଼ା ଯାଇଥିଲା l ତେବେ ଅଙ୍ଗନବାଡି କର୍ମୀଙ୍କ ଗୁରୁତର ଅବସ୍ଥା ଦେଖି ସନ ଷ୍ଟ୍ରୋକ ହେବାର ସମ୍ଭାବନା ରହିଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ l ଗୋଟିଏ ପକ୍ଷରେ ଓଡିଶା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନ (SRC)ଙ୍କ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପ୍ରତି ସତର୍କତା ଅବଲମ୍ବନ କରିବା ନିମନ୍ତେ ସମସ୍ତ ସରକାରୀ ଅନୁଷ୍ଠାନ ଓ ଜନସାଧାରଣଙ୍କୁ ବାରମ୍ବାର ମୋବାଇଲ ମେସେଜ ମାଧ୍ୟମରେ ସଚେତନ କରାଯାଉଛି l ଅନ୍ୟ ପକ୍ଷରେ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ବିଭାଗ ଭଳି ଏକ ସରକାରୀ ଅନୁଷ୍ଠାନ ଦ୍ୱାରା ତୁମୁଡିବନ୍ଧ ବ୍ଲକର ଦୂର ଦୁରାନ୍ତ ବିଭିନ୍ନ ଦୁର୍ଗମ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସ୍ୱଳ୍ପ ବେତନ ଭୋଗୀ ଅଙ୍ଗନବାଡି କର୍ମୀ ମାନଙ୍କୁ ମାସିକ ରିପୋର୍ଟ ପ୍ରଦାନ କରିବା ପୂର୍ବକ ଏହିଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ମାସକୁ ଦୁଇ ଦୁଇ ଥର ଖର୍ଚ୍ଚାନ୍ତ କରାଇ ତୁମୁଡିବନ୍ଧ କାର୍ଯ୍ୟାଳୟକୁ ଡକାଇବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ତୀବ୍ର ସମାଲୋଚନା କରିଛି l ମୋଟ ୧୯୩ ଟି ଅଙ୍ଗନବାଡି କେନ୍ଦ୍ର କୁ ବେଲଘର, ଲଙ୍କାଗଡ଼, ତୁମୁଡିବନ୍ଧ ଓ କୁର୍ତମଗଡ଼ ୪ ଟି କ୍ଷେତ୍ରରେ ବିଭକ୍ତ କରାଯାଇଛି l ଏହି ୪ କ୍ଷେତ୍ର ପାଇଁ ବର୍ତମାନ ୩ ଜଣ ସୁପରଭାଇଜର ରହିଛନ୍ତି l ଏହି ନିଯୁକ୍ତ ସୁପରଭାଇଜର ଗଣ ସେମାନଙ୍କ ସେକ୍ସନରେ ଥିବା ଅଙ୍ଗନବାଡି କେନ୍ଦ୍ର ପ୍ରତି ମାସରେ ପରିଦର୍ଶନ କରି ମାସିକ ରିପୋର୍ଟ ସଂଗ୍ରହ କରିବା ବଦଳରେ ନିଜର ସୌଖିନତା କାରଣରୁ କୌଣସି କେନ୍ଦ୍ର ପରିଦର୍ଶନ ନକରି ନିରୀହ ଅଙ୍ଗନବାଡି କର୍ମୀ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ତୁମୁଡିବନ୍ଧ କାର୍ଯ୍ୟାଳୟକୁ ବାରମ୍ବାର ଡକାଉଥିବା ଅଙ୍ଗନବାଡି କର୍ମୀ ଗଣ ଅଭିଯୋଗ କରିଛନ୍ତି l ଅନ୍ୟପଟେ ଦୁର୍ଗମାଞ୍ଚଳରୁ ଅଙ୍ଗନବାଡି କର୍ମୀ ମାନେ ବାରମ୍ବାର ତୁମୁଡିବନ୍ଧ ଆସିବା ଫଳରେ ଛୋଟ ଛୋଟ ଶିଶୁ ମାନଙ୍କୁ, ସ୍ୱାମୀଙ୍କ ସହିତ ସପରିବାର ପ୍ରଚଣ୍ଡ ଖରାରେ ଆସି ନାହିଁନଥିବା ହଇରାଣ ହରକତ ହେବା ସାଙ୍ଗକୁ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି l ତେବେ ନିରୀହ ଅଙ୍ଗନବାଡି କର୍ମୀ ମାନଙ୍କର ଏହି ସମସ୍ୟା ଗୁଡ଼ିକ ବିଭାଗୀୟ ଅଧିକାରିଣୀ ଗଣ ଅଣଦେଖା କରୁଥିବା ଅଭିଯୋଗ ହେଉଛି l ତେବେ ଅଙ୍ଗନବାଡି କର୍ମୀ ମାନଙ୍କୁ ବାରମ୍ବାର ବୈଠକ ଡକାଇବା ଓ ବୈଠକରେ ପର୍ଯ୍ୟାପ୍ତ ପାନୀୟଜଳ କିମ୍ବା ଜଳଖିଆ ଇତ୍ୟାଦି ବ୍ୟବସ୍ଥା କରାନଯିବା ସଂକ୍ରାନ୍ତରେ ତୁମୁଡିବନ୍ଧ ଓ ଲଙ୍କାଗଡ଼ ଦାୟିତ୍ୱରେ ଥିବା ସୁପରଭାଇଜର ଉର୍ବଶୀ ଦିଗାଳଙ୍କୁ ପଚାରିବାରୁ ସବୁ ସେକ୍ସନରେ ମୋବାଇଲ ନେଟୱର୍କ ସୁବିଧା ନାହିଁ ତେଣୁ ରିପୋର୍ଟ ଅନଲାଇନ ଅପଲୋଡ଼ କରିବା ସମ୍ଭବ ହେଉନାହିଁ ବୋଲି ପ୍ରତିକ୍ରିୟା ଦେଇଥିବା ବେଳେ ବୈଠକରେ ପାନୀୟ ଜଳ ଓ ଜଳଖିଆ ବ୍ୟବସ୍ଥା ବାବଦରେ ନିରୁତ୍ତର ରହିଥିଲେ l ତେଣୁ ଏହି ଦିଗରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଗଣ ଧ୍ୟାନ ଦେବାକୁ ଅଙ୍ଗନବାଡି କର୍ମୀ ଓ ସାଧାରଣରେ ଦାବୀ ହେଉଛି l
ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment