ଉପାନ୍ତ ଅଞ୍ଚଳରେ ସରକାରୀ ସେବା ଅପହଞ୍ଚ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଭାଲୁଗୁଡ଼ା, ଲିଡ୍ରାଙ୍ଗ, ଭଣ୍ଡରଶାଳା, ପାଇରମାଲା, ଗୋଲମପାଙ୍ଗା ଓ ପୁଡରୁଙ୍ଗ ଆଦି ୬ ଟି କୁଟିଆକନ୍ଧ ଆଦିମ ଜନଜାତି ଗ୍ରାମରେ ଆଜିବି ସରକାରୀ ସେବା ଅପହଞ୍ଚ ହୋଇ ରହିଥିବା ଅଭିଯୋଗ ହୋଇଛି l ଏହି ୬ ଟି ଗ୍ରାମ ପାଇଁ ୩ ଟି ପ୍ରାଥମିକ ବିଦ୍ୟାଳୟ ରହିଛି l କିନ୍ତୁ ସବୁ ଅବହେଳିତ ଓ ଅଚଳ ହୋଇ ପଡ଼ିରହିଛି l ଭାଲୁଗୁଡ଼ା ବିଦ୍ୟାଳୟରେ ୨ ଜଣ ଶିକ୍ଷକ ନିଯୁକ୍ତ କିନ୍ତୁ ଅନିୟମିତ ଭାବେ ବିଦ୍ୟାଳୟ ଖୋଲା ଯାଉଛି l ଯାହା ଫଳରେ ଆଦିବାସୀ କୋମଳମତି ଛାତ୍ରଛାତ୍ରୀ ମୌଳିକ ଶିକ୍ଷାଦାନରୁ ବଞ୍ଚିତ ହୋଇ ରହିଛନ୍ତି l ଲିଡ୍ରାଙ୍ଗ ଓ ଗୋଲମପାଙ୍ଗା ବିଦ୍ୟାଳୟ ଅବସ୍ଥା ମଧ୍ୟ ସମାନ l ଗୋଲମପାଙ୍ଗା ବିଦ୍ୟାଳୟ ପାଇଁ ୩ ଜଣ ଶିକ୍ଷକ ଅଛନ୍ତି କିନ୍ତୁ ବିଦ୍ୟାଳୟ ଗୃହ ନାହିଁ l ଏହାର ଆଳ ଦେଖାଇ ଶିକ୍ଷକ ଗଣ ନିୟମିତ ଶିକ୍ଷାଦାନ ପ୍ରତି ମନ ବଳାଉ ନଥିବା ଜଣାପଡ଼ିଛି l ଲିଡ୍ରାଙ୍ଗ ବିଦ୍ୟାଳୟରେ ଗୋଟିଏ ମାତ୍ର ଶ୍ରେଣୀ ଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସି ପାଠ ପଢ଼ିବା ଓ ସେଠାରେ ହିଁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟର ଆଲମିରା ଆସବାବପତ୍ର ରହିଛି l ଏସବୁ ଅବ୍ୟବସ୍ଥା ଭିତରେ ବିଦ୍ୟାଳୟରେ ଶୃଙ୍ଖଳିତ ଶିକ୍ଷାଦାନ ସମ୍ଭବପର ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଭଳି ଅବ୍ୟବସ୍ଥା ଯୋଗୁଁ ଅଭିଭାବକ ଗଣ ନିଜ ଶିଶୁ ମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଅମଙ୍ଗ ହେଉଥିବା କହିଛନ୍ତି l ବର୍ଷ ବର୍ଷ ଧରି ଏହି ବିଦ୍ୟାଳୟ ଗୁଡ଼ିକ ଅବହେଳିତ ଓ ଅନାଗ୍ରସର ଥିବା ବେଳେ ଶିକ୍ଷକ ଗଣ କିନ୍ତୁ ବେତନ ପାଇ ଅଧିକାରୀ ଗଣଙ୍କ ଦୃଷ୍ଟି ଆଡୁଆଳରେ ରହି ଆରାମ କରୁଥିବା ଅଭିଯୋଗ ହୋଇଛି l ଅପରପକ୍ଷେ ଏହି ଗ୍ରାମ ଗୁଡ଼ାକୁ କୌଣସି ସ୍ୱାସ୍ଥ୍ୟ ସହାୟିକା କିମ୍ବା ଡାକ୍ତରୀଦଳ କାହାର ମଧ୍ୟ ପାଦ ପଡ଼ିନଥିବା ଅଭିଯୋଗ ହୋଇଛି l କେବେ ମଧ୍ୟ ଶିଶୁ କିମ୍ବା ଗର୍ଭବତୀ ମା ଙ୍କର ଟୀକାକରଣ ହୋଇନଥିବା ଗ୍ରାମବାସୀ କହିଛନ୍ତି l ତିନୋଟି ଅଙ୍ଗନବାଡି କେନ୍ଦ୍ର ରହିଛି ମାତ୍ର ନାମକୁ l ଅଙ୍ଗନବାଡି ଦିଦି ମାନଙ୍କର ୩ ମାସ ୪ ମାସକୁ ଥରେ ଅଧେ ଦେଖାମିଳୁଥିବା କହିଛନ୍ତି ନିରୀହ ଗ୍ରାମବାସୀ l ପ୍ରସୂତି ଓ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନାହିଁ l ଗର୍ଭବତୀ ମହିଳାମାନେ ଉପଯୁକ୍ତ ରାସ୍ତା ଖଣ୍ଡିଏ ନଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ଆସିନପାରି ଘରେ ହିଁ ପ୍ରାଚୀନ ଓ ଗାଉଁଲି ପଦ୍ଧତିରେ ଭାଗ୍ୟକୁ ଆଦରି ପ୍ରସବ କରାଇଥାନ୍ତି l ରୋଗବ୍ୟାଧି ହେଲେ ମଧ୍ୟ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ସେବା ପାଇନପାରି ଅପହଞ୍ଚ ସ୍ୱାସ୍ଥ୍ୟସେବା ଯୋଗୁଁ ଯନ୍ତ୍ରଣା ଭୋଗନ୍ତି l ଏକାଧିକ ଶିଶୁ ରକ୍ତହୀନତା, କାଛୁକୁଣ୍ଡିଆ ଇତ୍ୟାଦି ଅପପୃଷ୍ଟି ରୋଗରେ ଆଜିବି ଆକ୍ରାନ୍ତ l ଅନ୍ୟ ସରକାରୀ ସେବା କଥା ନକହିବା ଭଲ l ତେବେ ବିଡମ୍ବନାର ବିଷୟ ଯେ ଅଙ୍ଗନବାଡି ଓ ଶିକ୍ଷା ବିଭାଗ ସବୁ ତୁମୁଡିବନ୍ଧ ବ୍ଲକ ଅଧୀନରେ ଥିବା ବେଳେ ସ୍ୱାସ୍ଥ୍ୟ ଓ ଅନ୍ୟ ସମସ୍ତ ବିକାଶ ଦାୟିତ୍ୱ କୋଟଗଡ଼ ବ୍ଲକ ଅଧୀନରେ ରହିଛି l ଏଠି ପ୍ରଶ୍ନ ଉଠୁଛି ଏହି ଗ୍ରାମବାସୀ ମାନଙ୍କ ଦୁଃଖ ବୁଝିବ କିଏ ?ବିଭାଗୀୟ ସରକାରୀ ଅଧିକାରୀ କିନ୍ତୁ ଏହିଭଳି ଅବିକଶିତ ଅଞ୍ଚଳ ପ୍ରତି ଦୃଷ୍ଟିପାତ ନକରି କେବଳ କାଗଜ କଲମରେ ବିକାଶର ଚିତ୍ର ଉପରିସ୍ଥ ଅଧିକାରୀଙ୍କୁ ତଥ୍ୟ ପ୍ରେରଣ କରିଥାନ୍ତି l ତେବେ ଏହିଭଳି ଅବ ହେଳିତ ଓ ଅବିକଶିତ ଅଞ୍ଚଳ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ନିରୀହ ଜନଜାତି ଗ୍ରାମବାସୀ ମାନେ ନିବେଦନ କରିଛନ୍ତି l

ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment