ବନାଗ୍ନୀ ନିରାକରଣ ଜନିତ ସଚେତନତା ଶିବିର

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରେ ରବିବାର ଦିନ ଏକଦିବସିୟ ବନାଗ୍ନୀ ନିରାକରଣ ଜନିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଘଞ୍ଚ ଜଙ୍ଗଲ, ସବୁଜ ବନାନୀ, ପାହାଡ଼ ପର୍ବତ ଘେରା ପ୍ରକୃତିରାଣୀ କନ୍ଧମାଳ ଜିଲ୍ଲାର ମୁଖ୍ୟ ସମସ୍ୟା ଅଟେ ଜଙ୍ଗଲ ନିଆଁ l ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ହୋଇପଡେ ଜନଜୀବନ l ବନବିଭାଗର ଆପ୍ରାଣ ଉଦ୍ୟମ ସତ୍ୱେ ମଧ୍ୟ ଏହି ବନାଗ୍ନୀ ନିୟନ୍ତ୍ରଣ ହେବା କଷ୍ଟସାଧ୍ୟ ହୋଇଥାଏ l ତେଣୁ ଆଗାମୀ ଗ୍ରୀଷ୍ମ ଋତୁ  ପୂର୍ବରୁ ଅର୍ଥାତ ଆଗାମୀ ବର୍ଷ ୨୦୨୫ ପାଇଁ ସ୍ଥାନୀୟ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ବନବିଭାଗର ଏହା ଏକ ନିଆରା ପ୍ରୟାସ l ତୁମୁଡିବନ୍ଧ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷା, ସ୍ବେଛାସେବୀ ଅନୁଷ୍ଠାନ, ଭି ଏସ, ଦମକଳ ବାହିନୀ ଅଧିକାରୀ ଏବଂ ମହିଳା ସ୍ୱୟଂ ସହାୟିକା ସଂଘ, ଶତାଧିକ ପୁରୁଷ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ସ୍ଥାନୀୟ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରାଙ୍କ ନିଆରା ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି l ଆଗାମୀ ଦିନରେ କିଭଳି ଜଙ୍ଗଲରେ ନିଆଁ ନ ଲାଗିବ ଏବଂ ଜଙ୍ଗଲ କଟାନଯିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା l ବନାଗ୍ନୀ ନିରାକରଣ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି l ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ, ୱାଚର ଉପସ୍ଥିତ ଥିଲେ l  (ରିପୋର୍ଟ -ପ୍ରବୀଣ କୁମାର ପଟ୍ଟନାୟକ )

Comments (0)
Add Comment