ହରିପୁର ଗ୍ରାମରେ ଅସାଧୁ ମହୁଲ ବ୍ୟବସାୟୀ ଗିରଫ, ୩୩ କୁଇଣ୍ଟାଲ ୨୦ କି. ଗ୍ରା ମହୁଲ ଜବତ କଲା ବାଲିଗୁଡ଼ା ଅବକାରୀ ବିଭାଗ

ତୁମୁଡିବନ୍ଧ(କୋଶଲ ନ୍ୟୁଜ) :- କନ୍ଧମାଳ ଜିଲ୍ଲାରେ ମହୁଲ ଫୁଲ ଖରିଦ କରିବାକୁ ଅବକାରୀ ବିଭାଗ ସମସ୍ତ ବ୍ଲକ ଓ ଥାନା ଅଞ୍ଚଳରେ ପୃଥକ ପୃଥକ ବ୍ୟବସାୟୀଙ୍କୁ ସ୍ୱୀକୃତି ବା ଲାଇସେନ୍ସ ପ୍ରଦାନ କରିଛି l କିନ୍ତୁ କିଛି ଅସାଧୁ ବ୍ୟବସାୟୀ ବିନା ଲାଇସେନ୍ସରେ ଗାଁ ଗହଳିରେ ସରକାରୀ ଧାର୍ଯ୍ୟ ମୂଲ୍ୟ ପରିବର୍ତ୍ତେ ସ୍ୱଳ୍ପ ଅର୍ଥରେ ମହୁଲ ଫୁଲ କ୍ରୟ କରି ହିତାଧିକାରୀଙ୍କୁ ଲୁଣ୍ଠନ କରୁଥିବା ଦେଖିବାକୁ ମିଳୁଛି l ସଚେତନତା ଅଭାବରୁ ନିରୀହ ହିତାଧିକାରୀ ବର୍ଷ ବର୍ଷ ଧରି ଏହିଭଳି ବନଜାତ ଦ୍ରବ୍ୟର ଓଜନରେ ଠକେଇ ଓ ଉଚିତ ପାଉଣା ନପାଇ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଶୋଷଣର ଶିକାର ହୋଇଆସୁଛନ୍ତି l ତୁମୁଡିବନ୍ଧ ଥାନା ଅଞ୍ଚଳରେ ମାତ୍ରାଧିକ ମହୁଲି ମଦ ବିକ୍ରୟ ହେଉଥିବାରୁ ଏଠାରେ ମହୁଲ ଫୁଲର ଚାହିଦା ଅଧିକ ରହିଛି l ତେବେ ଶୁକ୍ରବାର ଦିନ ବାଲିଗୁଡ଼ା ଓ ଫୁଲବାଣୀ ଅବକାରୀ ଅଧିକାରୀଙ୍କ ମିଳିତ ଚଢ଼ାଉରେ ତୁମୁଡିବନ୍ଧ ଥାନା ତଥା କୋଟଗଡ଼ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ଏକ ଲାଇସେନ୍ସ ବିହୀନ ବ୍ୟବସାୟୀଙ୍କୁ ଗିରଫ କରି ୮୪ ଖଣ୍ଡ ଅଖା ବସ୍ତାରେ ୩୩ କୁଇଣ୍ଟାଲ ୨୦ କି. ଗ୍ରା ମହୁଲ ଫୁଲ ଜବତ କରିଛି l ଉକ୍ତ ବେଆଇନ ଗୋଦାମରେ ଆନୁମାନିକ ଆଉ ୬୦/୭୦ କୁଇଣ୍ଟାଲରୁ ଉର୍ଦ୍ଧ ମହୁଲ ଫୁଲ ମହଜୁଦ ରହିଥିଲେ ମଧ୍ୟ ତାହା ଆଣିବା ସୁବିଧା ନଥିବାରୁ ସେହିଠାରେ ଛାଡ଼ି ଦେଇଥିବା ଜଣାପଡିଛି l ହରିପୁର ଗ୍ରାମର ଲାଇସେନ୍ସ ବିହୀନ ବ୍ୟବସାୟୀ ସୁବାଷ ନାୟକଙ୍କୁ ଅବକାରୀ କେସ ନଂ ୧୩/୨୪ ଅନୁଯାଇ କୋର୍ଟ ଚାଲାଣ କରାଯାଇଥିବା ବାଲିଗୁଡ଼ା ଅବକାରୀ ଥାନା ଅଧିକାରୀ ରାମଜୀ ପଟେଲ ସୂଚନା ଦେଇଛନ୍ତି l

ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment