ଚେନ୍ନଇ : ଚଳିତ ଆଇପିଏଲ୍ରେ ରବିବାର ବିଜୟୀ ହୋଇଛି କଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଦୁଇ ପୂର୍ବ ଚମ୍ପିଆନ୍ଙ୍କ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୧୦ ରନ୍ରେ ସନ୍ରାଇଜର୍ସ ହାଇଦରାବାଦକୁ କେକେଆର୍ ପରାସ୍ତ କରିଛି। ଦୁଇ ଭାରତୀୟ ଖେଳାଳି ନୀତୀଶ ରାଣା ଓ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ୬ ୱିକେଟରେ ୧୮୭ ରନ୍ କରିଥିଲା। ପରେ ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସନ୍ରାଇଜର୍ସ ୫ ୱିକେଟ ହରାଇ ୧୭୭ ରନ୍ କରି ପାରିଥିଲା।
ସନ୍ରାଇଜର୍ସ ହାଇଦରାବାଦ ବିପର୍ଯ୍ୟୟ ସହ ୧୮୮ ରନ୍ର ପିଛା ଆରମ୍ଭ କରିଥିଲା। ଅଧିନାୟକ ଡେଭିଡ୍ ୱାର୍ଣ୍ଣର ୩ ଓ ଋଦ୍ଧିମାନ ଶାହା ୭ ରନ୍କରି ଆଉଟ ହୋଇଥିଲେ। ପରେ ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେ ଇନିଂସକୁ ସଜାଡ଼ିବାର ପ୍ରୟାସ କରିଥିଲେ। ବିଶେଷକରି ଇଂଲଣ୍ଡର ବେୟାରଷ୍ଟୋ ଆକ୍ରମଣାତ୍ମକ ବ୍ୟାଟିଂକରି ୩୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ୟାଟ୍ କମିନ୍ସ ଏହି ଯୋଡ଼ି ଭାଙ୍ଗି ଦେଇଥିଲେ। ବେୟାରଷ୍ଟୋ ୪୦ ବଲ୍ରୁ ୩ଟି ଛକା ଓ ୫ଟି ଚୌକା ସହ ୫୫ ରନ୍କରି ଆଉଟ ହୋଇଥିଲେ। ମହମ୍ମଦ ନବି ୧୧ ବଲ୍ରୁ ୨ଟି ଚୌକା ସହ ୧୪ ରନ୍କରି ବିଦାୟ ନେଇଥିଲେ। ମନୀଷ ପାଣ୍ଡେ ୩୭ ବଲ୍ରୁ ୧୯ତମ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ବିଜୟ ଶଙ୍କର ୧୧ ରନ୍ କରିଥିଲେ। ଶେଷ ଓଭରରୁ ୨୨ ରନ୍ ଆବଶ୍ୟକ ଥିବା ବେଳେ ଆେନ୍ଦ୍ର ରସେଲ୍ଙ୍କ ଏହି ଓଭରରେ ମାତ୍ର ୧୧ ରନ୍ ହୋଇଥିଲା। ଜାମ୍ମୁ-କାଶ୍ମୀରର ଅବ୍ଦୁଲ ସମାଦ୍ ୨ଟି ଛକା ସହ ୧୯ ଏବଂ ମନୀଷ ପାଣ୍ଡେ ୪୪ ବଲ୍ରୁ ୩ଟି ଛକା ଓ ୨ଟି ଚୌକା ସହ ୬୧ ରନ୍କରି ଅପରାଜିତ ଥିଲେ। ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ ନେଇଥିଲେ। ଏହି ବିଜୟରୁ ୨ ପଏଣ୍ଟ ପାଇ କଲକାତା ନାଇଟ୍ ରାଇଡର୍ସ ତା’ର ବିଜୟ ଅଭିଯାନ ଆରମ୍ଭ କରିଛି। ନୀତୀଶ ରାଣା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟୁର୍ଣ୍ଣାମେଣ୍ଟର ଏହି ୩ୟ ମ୍ୟାଚ୍ରେ ଟସ୍ ଜିତି ସନ୍ରାଇଜର୍ସ ହାଇଦରାବାଦ ଫିଲ୍ଡିଂ ନେଇଥିଲା। କେକେଆର୍ ୬ ଓଭରର ପାୱରପ୍ଲେରେ ୫୦ ରନ୍ କରିଥିଲା। ୫୩ ରନ୍ର ଓପ୍ନିଂ ଭାଗିଦାରୀ ପରେ ଶୁବ୍ମାନ ଗିଲ୍ ୧୩ ବଲ୍ରୁ ୧୫ ରନ୍କରି ଆଉଟ ହୋଇଥିଲେ। ୨ୟ ୱିକେଟ ଭାଗିଦାରୀ କଲକାତା ପାଇଁ ଫଳପ୍ରସୂ ହୋଇଥିଲା। ନୀତୀଶ ରାଣା ଓ ରାହୁଲ ତ୍ରିପାଠୀ ୫୦ ବଲ୍ରୁ ୯୩ ରନ୍ ଯୋଗ କରିଥିଲେ। ୧ ୱିକେଟରେ ୧୪୬ ରନ୍ କରିିଥିବା କେକେଆର୍ ୨୦୦ରୁ ଅଧିକ ରନ୍ କରିବ ବୋଲି ଆଶା ଥିଲେ ହେଁ ୧୪ ରନ୍ରେ କଲକାତା ୪ଟି ୱିକେଟ ହରାଇବାରୁ ଏହା ସମ୍ଭବ ହୋଇନଥିଲା। ମହାରାଷ୍ଟ୍ରର ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂକରି ୨୯ ବଲ୍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୩ ରନ୍ କରିଥିଲେ। ବାମହାତି ନୀତୀଶ ରାଣା ଅନୁରୂପ ଇନିଂସ ଖେଳି ୫୬ ବଲ୍ରୁ ୪ଟି ଛକା ଓ ୯ଟି ଚୌକା ସହ ୮୦ ରନ୍ କରିଥିଲେ। ଆେନ୍ଦ୍ର ରସେଲ୍ ୫ ଓ ଅଧିନାୟକ ଇଓନ୍ ମୋର୍ଗାନ୍ ୨ ରନ୍କରି ବିଦାୟ ନେଇଥିଲେ। ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ ଶେଷ ଓଭରରୁ ୧୬ ରନ୍ ନେବା ସହ ୯ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍କରି ଅପରାଜିତ ଥିଲେ। ଆଫ୍ଗାନିସ୍ତାନର ଦୁଇ ସ୍ପିନର ମହମ୍ମଦ ନବି ଓ ରସିଦ୍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ।