ବିଲୁପ୍ତପ୍ରାୟ ହେବାକୁ ବସିଲାଣି ଘର ଚଟିଆ ବଂଶ…. ଆଉ ଶୁଭୁନି କିଚିରି ମିଚିରି ଶବ୍ଦ

ନବରଙ୍ଗପୁର// ଡାବୁଗାଁ (କୋଶଲ ନ୍ୟୁଜ୍):- କିଛି ବର୍ଷ ପୂର୍ବେ ଘର ଅଗଣାରେ ଧାନ, ମାଣ୍ଡିଆ ସୁଖେଇଲେ ଜଣେ ଲୋକ ବାଡ଼ି ଟିଏ ଧରି ଜଗିବାକୁ ପଡୁଥିଲା । କାଳେ ଘରଚଟିଆ ଆସି ଖାଇଯିବେ ଶୁଖେଇ ଥିବା ଶସ୍ୟକୁ କିନ୍ତୁ ଏବେ ବିଲୁପ୍ତ ହେବାକୁ ବସିଲେଣି ଘରଚଟିଆ ଆଉ ଶୁଭୁନି କିଚିରି ମିଚିରି ଡାକ।ଆମସମାଜ ତଥା ଚାଷୀର ପରମ ବନ୍ଧୁ ଭାବେ ବେସ ଜଣାଶୁଣା ଏହି ପକ୍ଷୀ ଗାଁ ଗାଁରେ ଆଉ ଦେଖିବାକୁ ମିଳୁନାହିଁ ।ଘର ଚଟିଆଙ୍କ ରହଣିସ୍ଥଳ ଗାଁ ଗାଁରେ ଥିବା ଚାଳଘର ଏବେ ଆଉ ନାହିଁ । ଚାଳଘର ଗୁଡିକ ନଥିବା କାରଣରୁ ଏହି ପକ୍ଷୀ ଏବେ ଆଉ ଗାଁ ଗହଳିରେ ଦେଖାଯାଉ ନାହାନ୍ତି ଏହା ମଧ୍ୟ ବିଲୁପ୍ତ ହେବାର ଗୋଟିଏ ମୁଖ୍ୟ କରଣ ବୋଲି କହିଲେ ଚଳେ।ସେହିପରି ସବୁଆଡେ କଂକ୍ରିଟ ଜଙ୍ଗଲ ଓ ପରିବେଶ ତାର ସନ୍ତୁଳନ ହରାଇବା ମଧ୍ୟ ଅନ୍ୟ ଏକ କାରଣ।
ଘର ଚଟିଆ ଗୋଟିଏ ଛୋଟିଆ ପକ୍ଷୀ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ବେଶ ଖୁସି ଉନ୍ମାଦନା ସୃଷ୍ଟି କରିଥାଏ ।କିଚିରି ମିଚିରି ଶବ୍ଦ କରି ଘର ଚାରି ପାଖେ ବୁଲିବା ସହ ଘରର ଚାଳରେ ଘରଚଟିଆ ବସା ବାନ୍ଧିଥାଏ ।ଲୋକଙ୍କ ସହ ସତେ ଯେମିତି ତାର ସମ୍ପର୍କ ରହିଛି ସେଥିପାଇଁ ତ ବଣ ଜଙ୍ଗଲରେ ନରହି ନଡା ଛପର ଘର ମାନଙ୍କରେ ଏମାନେ ବସା ବାନ୍ଧିଥାନ୍ତି । ସମୟର ପରିବର୍ତ୍ତନ ସାଙ୍ଗକୁ ସବୁ କିଛି ବଦଳି ଗଲାଣି । ଲୋକଙ୍କ ଚଳଣି ସହ ବାସଗୃହ ମଧ୍ୟ ବଦଳିଗଲାଣି। ଇଣ୍ଟେର୍ନେଟ,ମୋବାଇଲ ଯୁଗ ସାଙ୍ଗକୁ କଚ୍ଚାଘରକୁ ସରକାର ପକ୍କା ଘର କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି । କିନ୍ତୁ ସରକାରଙ୍କ ଏହି ଘୋଷଣା ଲୋକଙ୍କ ପାଇଁ ଖୁସି ଆଣି ଦେଉଥିବା ବେଳେ ଘର ଚଟିଆଙ୍କ ପାଇଁ ତାହା କାଳ ସାଜିଛି ।ପ୍ରାୟ ଚାଳ ଘର ପକ୍କା ଘରରେ ପରିଣତ ହେବା ପରେ ଘର ଚଟିଆଙ୍କ ସଂଖ୍ୟା ମଧ୍ୟ କମି ଯାଇଛି । ଖାଲି ସେତିକି ନୁହେଁ ବହୁଳ ମୋବାଇଲ ବ୍ୟବହାର ଦ୍ବାରା ଟାୱାର ରୁ ବାହାରୁଥିବା ମାଇକ୍ରୋ ୱେଭ ତରଙ୍ଗ ଯୋଗୁଁ କୁଆଡେ ଘର ଚଟିଆ ଙ୍କ ସଂଖ୍ୟା ବିଶେଷ ଭାବରେ କମି ଯାଉଥିବା ପରିବେଶବିତ ମାନେ କହିଛନ୍ତି ।
ସେହିପରି ଘର ଚଟିଆ ଙ୍କୁ ସୁରକ୍ଷା ତଥା ତାଙ୍କ ବଂଶ ବୃଦ୍ଧି ପାଇଁ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସୁଥିବା ବେଳେ ଏହି ପକ୍ଷୀଙ୍କ ପାଇଁ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ରିପୋର୍ଟ: ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments (0)
Add Comment