ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ସଦର ମହକୁମାରେ ଆଜି ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରିଆମାଳ ସ୍ଥିତ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିଜସ୍ଵ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶୁଣାଣି ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ଜନସାଧାରଣ ଆଣିଥିବା ୧୭ ଟି ବ୍ୟକ୍ତିଗତ ଏବଂ ସାମୁହିକ ଅଭିଯୋଗ ଶୁଣିଥିଲେ । ଏଥିସହ ଅଭିଯୋଗ ହୋଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଅଭିଯୋଗ ଆଣିଥିବା ଜନସାଧାରଣଙ୍କୁ ବିଧାୟକ ପ୍ରତିଶୃତି ଦେଇଥିଲେ ।
ସେହିପରି କେତେକ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଜରିଆରେ ଯୋଗାଯୋଗ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପରାମର୍ଶ କରିଥିଲେ। ବାର୍ଦ୍ଧ୍ୟକ ଭତା, ଘର,ରାସ୍ତା ମରାମତି ଓ ନୂତନ ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ, ପାନୀୟ ଜଳ ନେଇ ରିଆମାଳ ବ୍ଲକର ବିଭିନ୍ନ ଗ୍ରାମରୁ ଲୋକ ଅଭିଯୋଗ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହିଥିଲେ। ଉକ୍ତ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ଲୋକଙ୍କ ସମସ୍ୟା ଜାଣି ହେଉଛି ଏବଂ ସମାଧାନର ବାଟ ବାହାର କରାଯାଉଛି ବୋଲି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରକାଶ କରିଛନ୍ତି ।