ପୁରୁଣା ଡାକ୍ତରଖାନାକୁ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବୀ ୧୨ ଦିନ ହେଲା ଧାରଣାରେ ସମାଜସେବୀ ଅର୍ଣ୍ଣବ ପଣ୍ଡା

ଦେବଗଡ଼ (କୋଶଲ ନ୍ୟୁଜ୍):-  ଦେବଗଡ଼ ଜିଲ୍ଲା ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ୧୨ ଦିନ ହେଲା ଧାରଣାରେ ବସିଛନ୍ତି ସମାଜସେବୀ ଅର୍ଣ୍ଣବ ପଣ୍ଡା। ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ନୂଆଁ ବାଲିରୋଇ ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ସ୍ଥାନାନ୍ତରିତ ହୋଇଛି।ସହର ଠାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୬ କିଲୋମିଟର ଦୂରରେ ଥିବା ହେତୁ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଦାବି କରାଯାଇଥିଲା। ଉକ୍ତ ଦାବି ନେଇ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଦେବଗଡ଼ ଜିଲ୍ଲା ବନ୍ଦ କରାଯାଇଥିଲା।

କିନ୍ତୁ ଏହାପରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା କିଛି ମାସ ପୂର୍ବରୁ ଜିଲ୍ଲାରୁ ପଦଯାତ୍ରାରେ ବାହାରି ଭୁବନେଶ୍ଵର ରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରି ଏସଂପର୍କରେ ଦାବିପତ୍ର ଦେଇଥିଲେ। ଏହାପରେ ମଧ୍ୟ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଦିଗରେ କୌଣସି ପଦକ୍ଷେପ ନିଆ ନଯିବାରୁ ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ୧୨ଦିନ ହେଲା ଧାରଣାରେ ବସିଛନ୍ତି। ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟସେବା ନିମନ୍ତେ ବିଧିବଦ୍ଧ ଭାବେ ଘୋଷଣା ନ କରିବା ପର୍ଯ୍ୟନ୍ତ ସେ ତାଙ୍କର ଧାରଣାରେ ବସିବେ ବୋଲି ସମାଜସେବୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Comments (0)
Add Comment