ଦେବଗଡ଼(କୋଶଲ ନ୍ୟୁଜ୍):- ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ ଦେବଗଡ ସଦର ମହକୁମାରୁ ବାରକୋଟ ବ୍ଲକ ଅଭିମୁଖେ ଯାଉଥିବା ସମୟରେ ଜଣେ ଅଜଣା ମହିଳା ବୟସ ପାଖାପାଖି ୩୦ ଭିତରେ ହେବ କାଲକାଠ ଛକ ଜାତୀୟ ରାଜପଥରେ ସମ୍ପୂର୍ଣ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିବାର ଦେଖିବାକୁ ପାଇଲେ ।
ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ଫୋନ ଯୋଗେ ସୂଚନା ଦେଲେ । ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ନିଜ ଅଫିସରୁ ଡୋର ସ୍କିନ ଖଣ୍ଡିଏ ସାଙ୍ଗରେ ନେଇ ସୁରକ୍ଷା ଅଧିକାରିଣୀ କ୍ରାନ୍ତି ମଞ୍ଜରି ଧାଉନଲିଆ , ଚାଇଲ୍ଡଲାଇନର ତପସ୍ଵିନୀ ମହାକୁଳ ଓ ନଲିନୀ ମହାନନ୍ଦଙ୍କ ସହିତ ଘଟନା ସ୍ଥଳରେ ପହଞ୍ଚିଲେ । ଅଜଣା ମହିଳା ଜଣକୁ ଉଲଗ୍ନ ଅବସ୍ଥାରେ କାଲକାଠ ଛକ ଦୁର୍ଗା ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥରେ ଅନେକ ଟ୍ରକ କିଛି ସମୟ ଅଟକି ଉଲଗ୍ନ ମହିଳାକୁ ଚାହିଁ ଦେଇ ଚାଲି ଯାଉଥିଲେ । ପ୍ରାଥମିକ ତଦନ୍ତରୁ ଜଣ ପଡିଲା ମହିଳା ଜଣକ ଖଣ୍ଡି ଓଡିଆ କହୁଛନ୍ତି । ନିଜ ପରିଚୟ ଠିକରେ ଦେଇପାରୁ ନାହାନ୍ତି , ସୁନ୍ଦରଗଡ କିମ୍ବା ଝାରଖଣ୍ଡ ଅଞ୍ଚଳର ବୋଲି ମନେ ହେଉ ଥିଲା । କୌଣସି ଟ୍ରକ ଡ୍ରାଇଭର ଏଠାରେ ଛାଡି ଚାଲି ଯାଇଥିବାର ବି ସନ୍ଦେହ କରାଯାଇପାରେ । ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ ନ ଥିବାରୁ ନିଜ ଠିକଣା କହିପାରୁ ନ ଥିଲେ । ଜାତୀୟ ରାଜପଥରୁ ମହିଳାଙ୍କୁ ଉଦ୍ଧାର କରି ନୂଆ ଡାକ୍ତରଖାନା ସ୍ଥିତ ସଖୀ କେନ୍ଦ୍ରରେ ସାମୟିକ ଭାବେ ଆଶ୍ରୟ ଦିଆଯାଇ ଥିବାର ସୂଚନା ମିଳିଛି ।