ଅବତରଣ ବେଳେ ତ୍ରୁଟି ଯୋଗୁଁ ସୌରଶକ୍ତି ଗ୍ରହଣ କରିପାରୁନି ଜାପାନୀ ଚନ୍ଦ୍ରଯାନ ‘ସ୍ଲିମ୍‌’

ଟୋକିଓ: ଜାପାନର ଚନ୍ଦ୍ରଯାନ ‘ସ୍ମାର୍ଟ ଲ୍ୟାଣ୍ଡର୍‌ ଫର୍‌ ଇନ୍‌ଭେଷ୍ଟିଗେଟିଙ୍ଗ୍‌ ମୁନ୍‌’ (ସଂକ୍ଷେପରେ ‘ସ୍ଲିମ୍‌) ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ବି ଅବତରଣ ଉଦ୍ୟମ ବେଳେ ସାମାନ୍ୟ ବୈଷୟିକ ତ୍ରୁଟି ଘଟିବାରୁ ତାହା ଏପର୍ଯ୍ୟନ୍ତ ସୌରଶକ୍ତି ଗ୍ରହଣ କରିପାରୁ ନାହିଁ ବୋଲି ଜାପାନୀ ମହାକାଶ ଏଜେନ୍‌ସି ‘ଜାକ୍ସା’ କହିଛି।

‘ଜାକ୍ସା’ କହିଛି, ଅବତରଣ ଉଦ୍ୟମ ବେଳେ ବାଧା ହେବାରୁ ‘ସୋଲାର୍‌ ସେଲ୍‌’ କାମ କରୁ ନ ଥିବାରୁ ଏପର୍ଯ୍ୟନ୍ତ ମହାକାଶଯାନ ସୌରଶକ୍ତି ଗ୍ରହଣ କରିପାରୁ ନାହିଁ। ସମ୍ପ୍ରତି ଉକ୍ତ ମହାକାଶଯାନ ନିଜସ୍ବ ବ୍ୟାଟେରିରେ ଚାଲୁଛି। ସେ ବ୍ୟାଟେରି ଅଳ୍ପ କେତେ ଘଣ୍ଟା ପାଇଁ କାମ କରିବ।

https://twitter.com/ISAS_JAXA_EN/status/1748254123366252590?t=SEpn38eBKz5GLuNbSrR5AQ&s=19

‘ସୋଲାର୍‌ ସେଲ୍‌’ଗୁଡ଼ିକୁ ଯଦି ପୁନଃକାର୍ଯ୍ୟକ୍ଷମ କରାଯାଇ ନ ପାରେ, ତଥାପି ଏହି ଅଭିଯାନକୁ ସଫଳ ବୋଲି କୁହାଯିବ। କାରଣ, ଏହା ସୁଦୂର ଚନ୍ଦ୍ରରେ ଅବତରଣ କରିପାରିଛି। ଯେମିତି ହେଉ ପଛେ, ଆମେ ଚନ୍ଦ୍ର ପୃଷ୍ଠରେ ଅବତରଣ ତ କରିପାରିଛୁ ବୋଲି କହିଛନ୍ତି ‘ଜାକ୍ସା’ର ଅଧିକାରୀମାନେ।

ସୂଚନାଯୋଗ୍ୟ, ଜାପାନୀ ସମୟ ହିସାବରେ ୨୦୨୪ ଜାନୁଆରି ୨୦ ତାରିଖ ରାତି ୧୨.୨୦ରେ ‘ସ୍ଲିମ୍‌’ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଅବତରଣ ପରେ ତା’ ସହିତ ଯୋଗାଯୋଗ କରାଯାଇ ପାରିଛି। କିନ୍ତୁ, ‘ସୋଲାର୍‌ ସେଲ୍‌’ଗୁଡ଼ିକ ସୌରଶକ୍ତି ସଂଗ୍ରହ କରି ପାରୁ ନ ଥିବାରୁ ‘ସ୍ଲିମ୍‌’ ଚନ୍ଦ୍ରପୃଷ୍ଠରୁ ସଂଗ୍ରହ କରିଥିବା ‘ଡାଟା’ ଅଧିଗ୍ରହଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ‘ଜାକ୍ସା’ର ଅନ୍ୟତମ ଅଧିକାରୀ ହିତୋଶି କୁନିନାକା କହିଛନ୍ତି।

Comments (0)
Add Comment