କେନ୍ଦ୍ର ବଜେଟ୍ ୨୦୨୧-୨୨ରେ କ’ଣ ରହିଛି ଶିକ୍ଷା ଯୋଜନା?

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ନୂଆ ନୀତି ପ୍ରଣୟନ କରାଯାଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଥିବା ଆଦିବାସୀ ଅଞ୍ଚଳମାନଙ୍କରେ ୭୫୦ଟି ଏକଲବ୍ୟ ମଡେଲ ସ୍କୁଲ, ଦେଶରେ ୧୦୦ରୁ ଅଧିକ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ତେବେ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପରେ ସୈନିକ ସ୍କୁଲ ପ୍ରତିଷ୍ଠା ହେବ ବୋଲି କୁହାଯାଇଛି । ଲେହରେ ଏକ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବାକୁ ସ୍ଥିର କରାଯାଇଛି । ଏଥିସହ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ୧୫ ହଜାର ନୂଆ ସ୍କୁଲ ଖୋଲିବା ସହ ଉନ୍ନୀତିକରଣ କରାଯିବ ବୋଲି ଘୋଷଣା କରାଯାଇଛି ।

ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲରେ ଜନଗଣନା କାର୍ଯ୍ୟ କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଜଗଣନା କାର୍ଯ୍ୟ ପାଇଁ ୩୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବା ସହ ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନର ଆରମ୍ଭ କରାଯିବ । ଦେଶରେ ଉଚ୍ଚଶିକ୍ଷା କମିଶନ ଗଠନ କରାଯିବା ସହ ଚଳିତ ବର୍ଷରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Comments (0)
Add Comment