ଭୁବନେଶ୍ବର: ଶବଦାହରେ ଦୀର୍ଘ ବର୍ଷର ଅଭିଜ୍ଞତା। ଏବେ ବି ପିଲାମାନଙ୍କ ସହ ନିଜକୁ ଶବଦାହରେ ନିୟୋଜିତ କରି ରଖିଛନ୍ତି ରଞ୍ଜନା ଦେଇ। ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଶବକୁ ଫିଙ୍ଗାଫୋପଡ଼ା ନକରି ସସମ୍ମାନେ ଦାହ କରିବାକୁ ଶିକ୍ଷା ଦେଉଛନ୍ତି। କୋଭିଡ୍ ମୃତକଙ୍କୁ ବି ଦାହ କରୁଛନ୍ତି। ଶବଦାହ କରିବାକୁ ଆସିଥିବା ଆତ୍ମୀୟସ୍ବଜନଙ୍କୁ ସବୁ ପ୍ରକାର ସହଯୋଗ କରୁଥିବା ଏହି ମହିଳା ରଞ୍ଜନାଙ୍କୁ ସେଇଥିପାଇଁ ସତ୍ୟନଗର ଶ୍ମଶାନରେ ଶବର ସାଥୀ ବୋଲି କୁହାଯାଉଛି।
ରଞ୍ଜନାଙ୍କ ବୟସ ୫୫ ବର୍ଷ। ଦୀର୍ଘ ୩୫ବର୍ଷ ହେବ ସେ ସତ୍ୟନଗର ଶ୍ମଶାନରେ ରହୁଛନ୍ତି। ପ୍ରଥମେ ତାଙ୍କ ଶ୍ବଶୁର ଏହି ଶ୍ମଶାନରେ ବିଏମ୍ସି ପକ୍ଷରୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ ତାଙ୍କ ସ୍ବାମୀ ହରି ନାୟକ ନିଯୁକ୍ତି ପାଇଲେ। ବର୍ତ୍ତମାନ ତାଙ୍କ ପୁଅ ଓ ଜ୍ବାଇଁ ଏଠାରେ ଶବଦାହ କାମରେ ନିଯୁକ୍ତ ଅଛନ୍ତି। ତେବେ ରଞ୍ଜନାଙ୍କ କହିବା କଥା, ତାଙ୍କ ସ୍ବାମୀ ହରି ଶବଦାହ କରିବା ବେଳରୁ ସେ ତାଙ୍କୁ ସହଯୋଗ କରିବାକୁ ଯାଇ ଏହି କାମ କରିଆସୁଛନ୍ତି। ପ୍ରଥମେ ଭୟ ଲାଗୁଥିଲା। କିନ୍ତୁ ପରେ ଅଭ୍ୟାସରେ ପଡ଼ିଗଲା। ବିଶେଷକରି ତାଙ୍କ ସ୍ବାମୀ ନିଶାସକ୍ତ ହୋଇଥିବାରୁ ବେଳେବେଳେ ମୃତଦେହ ନେଇ ଏଠାକୁ ଆସିଥିବା ଲୋକମାନେ ସମସ୍ୟାରେ ପଡ଼ନ୍ତି। ରାତି ଅଧରେ ସେମାନେ ହଇରାଣ ହୁଅନ୍ତି। ଆତ୍ମୀୟ ଲୋକର ଶବକୁ ଧରି ହୀନସ୍ତା ହେବା ତାଙ୍କ ଦେହରେ ଗଲା ନାହିଁ। ତେଣୁ ସେ ନିଜେ ଅଣ୍ଟା ଭିଡ଼ିଲେ। ଲୋକଙ୍କ ସହ ମିଶି ଶବଦାହ କଲେ। ସ୍ବାମୀ ହରି ମଧ୍ୟ ତାଙ୍କୁ ଶବଦାହ ପଦ୍ଧତି ବତେଇ ଦେଲେ। ଧୀରେଧୀରେ ସେ ଏହି କାମକୁ ଏକ ସେବା ବୋଲି ଧରିନେଲେ।
ଲୋକମାନେ ମଧ୍ୟ ଖୁସି ହୋଇ ତାଙ୍କୁ ଟଙ୍କା ପଇସା ଦେଲେ। ବେଳେବେଳେ ଲୋକମାନେ ଶବଦାହ ପାଇଁ ଆବଶ୍ୟକ ସାମଗ୍ରୀ ଆଣିନଥା’ନ୍ତି। ବିଶେଷକରି କାଠ ସେମାନଙ୍କ ପାଇଁ ସମସ୍ୟା ହୁଏ। କିନ୍ତୁ ରଞ୍ଜନାଙ୍କ ପାଖରେ କାଠଗୋଲା ମାଲିକଙ୍କ ଫୋନ୍ ନମ୍ବର ରହିଛି। ରଞ୍ଜନା ଫୋନ୍ କଲା ମାତ୍ରେ ଗୋଲାମାଲିକ କାଠ ପଠାଇ ଦିଅନ୍ତି। ଏଭଳି କାମରେ ଲୋକମାନେ ଖୁସି ହୋଇଯାଆନ୍ତି। ଦୀର୍ଘ ୩୦ବର୍ଷ ହେଲା ଏହା ତାଙ୍କ ପାଇଁ କର୍ମପଥ ପାଲଟି ଯାଇଛି ବୋଲି କୁହନ୍ତି ରଞ୍ଜନା। ଏବେ ପୁଅ ଓ ଜ୍ବାଇଁ ଏହି କାମରେ ଲାଗିଛନ୍ତି। କୋଭିଡ୍ ପାଇଁ ଅଧିକ ସଂଖ୍ୟାରେ ଶବଦାହ ହେଉଥିବାରୁ ଆଉ କିଛି ପିଲାଙ୍କୁ ନିଯୁକ୍ତି ମିଳିଛି। ପ୍ରାୟ ୧୫ଜଣ ପିଲା ଶବଦାହରେ ଲାଗିଛନ୍ତି। ତେବେ ପିଲାମାନେ ଯେମିତି ସବୁ ଶବକୁ ସମ୍ମାନର ସହ ପୋଡ଼ିବେ, ସେଥିପ୍ରତି ରଞ୍ଜନା ଧ୍ୟାନ ଦେଉଛନ୍ତି। ସେ କେବଳ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ବିଏମ୍ସି ତରଫରୁ ରଞ୍ଜନାଙ୍କୁ ସିନା ପାରିଶ୍ରମିକ ମିଳେ ନାହିଁ, ଅଣକୋଭିଡ୍ ମୃତକଙ୍କ ଦହା କଲା ପରେ ଲୋକେ ତାଙ୍କୁ ଖୁସିରେ ଯାହା କିଛି ଦିଅନ୍ତି, ସେଥିରେ ବି ରଞ୍ଜନା ବେଶ୍ ଖୁସି ବୋଲି କହିଛନ୍ତି।
