ଦେବଗଡ଼(କୋଶଲ ନ୍ୟୁଜ୍):- କାମଧନ୍ଦା ଅଭାବରୁ ଶିଳ୍ପ ବିହିନ ଦେବଗଡ଼ ଜିଲ୍ଲାର ଶହ ଶହ ଶ୍ରମିକ ହାତ ବାନ୍ଧି ବସିଛନ୍ତି। ଏପରିକି କାମ ଧନ୍ଦା ଅଭାବରୁ ଦାଦନ ଖଟିବାକୁ କିଛି ଶ୍ରମିକ ରାଜ୍ୟ ବାହାରକୁ ମଧ୍ୟ ଯାଇଥିବା ଦେଖିବାକୁ ମିଳେ । ଏଭଳି ସ୍ଥିତିରେ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ମନରେଗା ଯୋଜନା ( ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ) ରେ ଶ୍ରମିକ ମାନଙ୍କୁ ନିୟୋଜିତ କରା ନ ଯାଇ ମେସିନ ମାଧ୍ୟମରେ କାର୍ଯ୍ୟ ଚାଲୁ ରହିଛି। ମାତ୍ର ବିଡ଼ମ୍ବନାର ବିଷୟ ଏହା ଯେ ବ୍ଲକ/ଜିଲ୍ଲା ପ୍ରଶାସନ ଏଭଳି ଅନିୟମିତତାରେ ସମ୍ପୃକ୍ତ ଗ୍ରାମ ରୋଜଗାର ସହାୟକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ଘଣ୍ଟ ଘଡାଉଥିବା ଦେଖିବାକୁ ମିଳିଛି। ଫଳରେ ଯେଉଁ ଉଦ୍ଦେଶ୍ୟରେ ମନରେଗା ଯୋଜନା କାର୍ଯ୍ୟକାରୀ ହେଉଛି ତାହା ଏଠି ସଫଳ ହେଇ ପାରୁ ନାହିଁ ।

ଏହି କ୍ରମରେ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ପଳସମା ପଞ୍ଚାୟତ ଅନ୍ତର୍ଗତ ଘୋଡ଼ା ପକ୍କା ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ ଷ୍ଟେଞ୍ଚ୍ ଷ୍ଟେଗାଡ଼ କାର୍ଯ୍ୟ ଦେଖିବାକୁ ମିଳିଛି । ଘୋଡ଼ା ପକ୍କା ଗ୍ରାମରେ ମନରେଗା ଯୋଜନାରେ ୨ ଲକ୍ଷ ୪୪ ହଜାର ବ୍ୟୟ ଅଟକଳରେ ଚାଲିଥିବା ଷ୍ଟେଞ୍ଚ ଷ୍ଟେଗାଡ଼ କାର୍ଯ୍ୟ ମେସିନ କରୁଛି। ମାତ୍ର ବିଡ଼ମ୍ବନାର ବିଷୟ ଏହା ଯେ ସମ୍ପୂର୍ଣ୍ଣ ଶ୍ରମ ଭିର୍ତ୍ତିକ କାର୍ଯ୍ୟ ହୋଇଥିବା ଏହି କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରା ନ ଯାଇ ଦିନ ଦ୍ବିପହରରେ ଜେସିବି (ମାଟି ଖୋଳା ମେସିନ) ରେ କାମ କରୁଛନ୍ତି । ଫଳରେ କାମଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ଶ୍ରମିକ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏଭଳି ବେଆଇନ୍ କାର୍ଯ୍ୟରେ ଲିପ୍ତ ସରକାରୀ କର୍ମଚାରୀ ଓ ଯନ୍ତ୍ରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବୀ କରିଛନ୍ତି । ତେବେ ସେ ସାହା ହେଉ ନା କାହିଁକି ଖୋଦ୍ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।