ଘରେ ରହି ଦରମା ନେଉଛନ୍ତି ବାପା  ଅଫିସ କାମ ସମ୍ଭାଳୁଛି ପୁଅ

ବରଗଡ(କୋଶଲ ନ୍ୟୁଜ୍): ବରଗଡ଼ ଜିଲ୍ଲା ସୋହେଲାଠାରେ ଥିବା ଆଇସିଡିଏସ ଅଫିସରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଗତ କିଛି ଦିନ ତଳେ ମେଡିସିନ କିଟ କିଣାକୁ ନେଇ ଦୁର୍ନୀତି ଅଭିଯୋଗ ଉଠିଥିବା ବେଳେ ଏବେ ବାପାଙ୍କ ବଦଳରେ ତାଙ୍କ ପୁଅ ଅଫିସ୍ରେ କାମ କରୁଥିବା ଭଳି ଅଭିଯୋଗ ସାମନାକୁ ଆସିଛି । ସରକାରଙ୍କ ନିକଟରୁ ନିଯୁକ୍ତି ପାଇଥିବା ବ୍ୟକ୍ତି ନିଜକୁ ଅସୁସ୍ଥ ଥିବା ଦର୍ଶାଇ ବର୍ଷ ବର୍ଷ ଧରି ଅଫିସକୁ ନଆସି ଘରେ ବସି ମାସକୁ ମାସ ପୂରା ଦରମା ସହିତ ଘରଭଡା ଟଙ୍କା ପାଉଥିବା ବେଳେ ଉକ୍ତ କର୍ମଚାରୀଙ୍କ ପୁଅ ଅଫିସକୁ ଆସି ବାପାର କାମ କରୁଛନ୍ତି ।
ସଂପର୍କରେ ସିଡିପିଓ ସଂଯୁକ୍ତା ବରିହାଙ୍କୁ ପଚରା ଯିବାରୁ ତାଙ୍କ କାର୍ଯ୍ୟାଳୟରେ ପିଅନ ଭାବେ ନିଯୁକ୍ତି ପାଇଥିବା ସଂଜୟ ସାହୁ ଦେହ ଅସୁସ୍ଥ ଥିବା ଦର୍ଶାଇ ଦୀର୍ଘବର୍ଷ ହେବ ଅଫିସକୁ ଆସୁ ନଥିବା କହିଥିଲେ ।

ସିଡିପିଓ ଭାବେ ସୋହେଲାରେ ତାଙ୍କର ଯୋଗଦାନର ବହୁ ପୂର୍ବରୁ ମଧ୍ୟ ଉକ୍ତ କର୍ମଚାରୀ ଅଫିସ ଆସୁନଥିବା ପ୍ରକାଶ କରିଥିଲେ । କାର୍ଯ୍ୟାଳୟରେ କର୍ମଚାରୀ ଅଭାବରୁ ଉକ୍ତ କର୍ମଚାରୀଙ୍କ ପୁଅ ଆସି କାମରେ ସାହାଯ୍ୟ କରୁଥିବା କହିଥିଲେ । ସରକାରଙ୍କ ଠାରୁ ନିଯୁକ୍ତି ପାଇ ନଥିବା ଜଣେ ବାହାର ଲୋକ କିପରି ସରକାରୀ ଅଫିସ ଭିତରେ ପ୍ରବେଶ କରି ଅଫିସର ଗୁରୁତ୍ୱପୂର୍ଣ କାଗଜପତ୍ର, ଫାଇଲରେ ହାତ ମାରୁଛି ବୋଲି ପଚରା ଯିବାରୁ ସେ ଯୁବକ ଅଫିସ କାମ କରିବା ପାଇଁ ଅଧିକୃତ ନୁହନ୍ତି, କିନ୍ତୁ କର୍ମଚାରୀ ଅଭାବରୁ ତାଙ୍କୁ ବିଶ୍ୱାସରେ କାମ କରାଉଛୁ ବୋଲି ସିଡିପିଓ ଶ୍ରୀମତୀ ବରିହା ପ୍ରକାଶ କରିଥିଲେ ।

ଅଫିସକୁ ଆଦୌ ଆସୁନଥିବା ପିଅନ ଘରେ ବସି କିପରି ଦରମା ଓ ଘରଭଡା ଟଙ୍କା ପାଉଛି ବୋଲି ପଚାରିବାରୁ ଉକ୍ତ ପିଅନ ମାସରେ ଦିନେ ଆସି ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତ କରୁଥିବା ସ୍ୱୀକାର କରିଥିଲେ । ବାପର କାମ କାରିବାକୁ ଆସୁଥିବା ଉକ୍ତ ଯୁବକକୁ ଅଫିସରେ ରହି କାମ କରିବାକୁ ସିଡିପିଓ କିପରି ଅନୁମତି ପ୍ରଦାନ କରିଛନ୍ତି ତାହା ତଦନ୍ତ ସାପେକ୍ଷ ା ଅନ୍ୟ ପକ୍ଷରେଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ ଭିନ୍ନକ୍ଷମ ମହିଳା ସୁପରଭାଇଜର ଗତ କିଛିମାସ ହେବ ଗୁରୁତର ଅସୁସ୍ଥ ହୋଇ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା । ଦୀର୍ଘଦିନ ଧରି ସେ କଟକ, ଭୁବନେଶ୍ୱର ରହି ଚିକିତ୍ସିତ ହୋଇ ଏହା ମଧ୍ୟରେ ଘରକୁ ଫେରି ଆସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା
କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଉକ୍ତ ଭିନ୍ନକ୍ଷମ ମହିଳା ସୁପରଭାଇଜର ଜଣକ ଶରୀର ଅସୁସ୍ଥ ଥିବା ଏବଂ ଚିକିତ୍ସା ନିମନ୍ତେ ଟଙ୍କାର ଆବଶ୍ୟକ ରହିଥିବା ଦର୍ଶାଇ ତାଙ୍କ ଦରମା ବ୍ୟବସ୍ଥା କରିବା ପାଇଁ ସିଡିପିଓଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତରଙ୍କ ନିକଟରୁ ଫିଟନେସ ସାର୍ଟିଫିକେଟ ଆଣି କାର୍ଯ୍ୟରେ ଯୋଗଦାନ ନ କରିବା ପର୍ଯ୍ୟନ୍ତ ଦରମା କେମିତି ଦେଇ ପାରିବି ବୋଲି ସିଡିପିଓ ଉକ୍ତ ଭିନ୍ନକ୍ଷମ ମହିଳା ସୁପରଭାଇଜରଙ୍କୁ କହିଥିବା ନେଇ ସାମ୍ବାଦିକଙ୍କୁ କହିଥିଲେ । ନିଜର ଜଣେ ଭିନ୍ନକ୍ଷମ ସହକର୍ମୀ ଅସୁସ୍ଥ ହୋଇଥିବା ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସିଡିପିଓ ଜାଣିଥିବା ସତ୍ୱେ ତାଙ୍କ ଦରମା ପାଇଁ ଫିଟନେସ ସାର୍ଟିଫିକେଟ ନହେଲେ ଦରମା ହେବ ନାହିଁ ବୋଲି କହୁଥିବା ବେଳେ ବର୍ଷ ବର୍ଷ ଧରି ଆଦୌ ଅଫିସକୁ ନଆସି ଘରେ ବସିଥିବା ପିଅନକୁ କେଉ ସାର୍ଟିଫିକେଟ ବଳରେ ସିଡିପିଓ ମାସକୁ ମାସ ଦରମା ଓ ଘରଭଡା ପ୍ରଦାନ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Comments
Loading...