ସୈାରଚାଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ: ମରାମତି ପାଇଁ ଦାବୀ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମରେ ଦୀର୍ଘ ୧୫ଦିନ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ଉଟୁଣିଆଁ ଗ୍ରାମ ପଞ୍ଚାୟତର ବାବାଜୀମଠ ଗୋଟିଏ ୱାର୍ଡ ବିଶିଷ୍ଟ ଗ୍ରାମ । ଗ୍ରାମରେ ୩୦-୪୦ ପରିବାର ବସବାସ କରନ୍ତି। ଗ୍ରାମର ଲୋକେ ଗ୍ରାମରେ ଥିବା ପୋଖରୀ ଓ ନଳକୂପଗୁଡିକ ଉପରେ ନିର୍ଭର କରନ୍ତି। ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଯୋଗୁ ଗ୍ରାମର ଜଳାଶୟ ଓ ପୋଖରୀଗୁଡିକ ଶୁଖି ଯାଇଛି। ଏପରି କି ଗ୍ରାମରେ ଥିବା ନଳକୂପଗୁଡିକ ମଧ୍ୟରୁ କେତେକ ନଳକୂପରୁ ଆବଶ୍ୟକ ଠାରୁ କମ ପାଣି ବାହାରୁ ଥିବା ବେଳେ ଆଉ କେତେକରୁ ବ୍ୟବହାର ଅନୁପଯୋଗୀ ପାଣି ବାହାରୁଛି। ତେଣୁ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।

ଗ୍ରାମର ଲୋକେ ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ନାନ ଶୌଚ, ରୋଷେଇବାସ ଆଦି କାମ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୃହପାଳିତ ପଶୁମାନେ ପାଣି ପାଇଁ ଡହକ ବିକଳ ହେଉଥିବା ଦେଖିବାକୁ ମିଳୁଛି। ଏଭଳିି ପରିସ୍ଥିତିରେ ପାନୀୟ ଜଳ ପାଇଁ ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତି। ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ସୋଲାର ଜଳ ପ୍ରକଳ୍ପ କରାଯାଇଥିଲା। ସୋଲାର ପ୍ଲେଟ ଲଗା ଯାଇଥିବା ବେଳେ ପାଣିଟାଙ୍କି ଲଗାଯାଇଥିଲା। ଫଳରେ ପାନୀୟ ଜଳ ସମସ୍ୟା ନ ଥିଲା। ଏବେ ପ୍ରକଳ୍ପ ଅଚଳ ହେତୁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଏନେଇ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗ୍ରାମର ଓ୍ବାର୍ଡ ମେମ୍ବର ଶ୍ରୀମତୀ ବବିତା ସେଠୀଙ୍କ ଠାରୁ ଆରମ୍ଭ କରି ରିଆମାଳ ବିଡିଓ ଆଦିତ୍ୟ ପଣ୍ଡା ସ୍ଥାନୀୟ ସରପଞ୍ଚ ରଶ୍ମିତା ପ୍ରଧାନ ଙ୍କୁ ଜଣାଇବା ପରେ ମଧ୍ୟ ଏହି ପ୍ରକଳ୍ପ ମରାମତି ହୋଇପାରି ନାହିଁ। ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିବାଦ ସ୍ବରୂପ ଗରା ବାଲଟି ରଖି ସୈାରଚାଳିତ ଜଳ ଯୋଗାଣ ପ୍ରକଳ୍ପ ନିକଟରେ ଆମ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଗ୍ରାମବାସୀ ।

Comments
Loading...