ଦେବଗଡ଼(କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରମ୍ଭେଇ ଗ୍ରାମ ପଞ୍ଚାୟତ ତଥା ତିଳେଇମାଳ କ୍ଲଷ୍ଟର ଅଧିନସ୍ଥ କରେଇ ପାଣପୋଷି ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବ ତଥା ତତ୍ତ୍ବାବଧାନରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ଯକ୍ରମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗଣେଶ ଓ ମାତା ସରସ୍ବତୀଙ୍କର ପୂଜାର୍ଚ୍ଚନା ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନିରଞ୍ଜନ କୁମାର ସାହୁ‐ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ,ତିଳେଇମାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀମତୀ ଚଞ୍ଚଳା ସାହୁ, ସଭାପତି ବିଦ୍ୟାଳୟ ପରିଚାଳନା କମିଟୀ, କେ.ପି.ନୋଡ଼ାଲ ଉ.ପ୍ରା ବିଦ୍ୟାଳୟ । ବକ୍ତାମାନେ ସଂସ୍କୃତି ଆଧାରିତ ଖେଳନା ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ ।

ଏଥି ସହିତ ଛାତ୍ରଛାତ୍ରୀମାନେ ସଂସ୍କୃତି ଆଧାରିତ ଲୋକନୃତ୍ଯ,ଲୋକକଳା ଓ ପାରମ୍ପରିକ ଆଦିବାସୀ ନୃତ୍ଯ ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି,ବିଦ୍ୟାଳୟ ସଭାପତି ତଥା ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ଖେଳନା ଷ୍ଟଲ୍ ପରିକ୍ରମା କରିଥିଲେ । ଏହି କାର୍ଯ୍ଯକ୍ରମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଭିତରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ଖେଳନା ପ୍ରସ୍ତୁତି ପ୍ରଦର୍ଶନରେ ପ୍ରଥମ ଶ୍ରେଣୀର ବିକି ମୁଣ୍ତା, ଦ୍ବିତୀୟ ଶ୍ରେଣୀର ୟସମିନ ଗଜପତି, ତୃତୀୟ ଶ୍ରେଣୀର ଡୋଳାମଣି ସାହୁ, ଚତୁର୍ଥ ଶ୍ରେଣୀର ନୀଲସନ୍ କୁମାର ମାଝୀ, ପଞ୍ଚମ ଶ୍ରେଣୀର ପ୍ରିୟତମା ପେଣ୍ଠେଇ,ଷଷ୍ଠ ଶ୍ରେଣୀର ଦୀପଶିଖା ପାତ୍ର ଓ ସପ୍ତମ ଶ୍ରେଣୀର ସାବିତ୍ରୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରତ୍ଯେକ ଶ୍ରେଣୀର ପ୍ରଥମ,ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀ କୄତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଆମ ସଂସ୍କୃତି ଆମ ଖେଳନା କାର୍ଯ୍ଯକ୍ରମ ଆୟୋଜନରେ ସହଯୋଗ କରିଥିଲେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ, ଜ୍ୟାବାଳୀମଞ୍ଜରୀ ନନ୍ଦ, ବିକାଶଲତା କିରୋ,କେତକୀ ବେହେରା,ଲୀଳାବତୀ ସାହୁ,ପଞ୍ଚାଳୀ ସାହୁ, ଖଗେନ୍ଦ୍ର ପୁଥାଳ ତଥା ତପନ କୁମାର ସାହୁ । ସର୍ବଶେଷରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।