ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ୩୭୦ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବା ବେଳେ , ଦେବଗଡ ଜିଲ୍ଲାକୁ ସମ୍ପୂର୍ଣ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାର ପରିଚୟ ଦେବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ଆଜି ଚାଇଲ୍ଡ ହେଲ୍ପ ଲାଇନ ନମ୍ବର ୧୦୯୮କୁ ଫୋନ ଯୋଗେ ଲଇମୁରା ଅଞ୍ଚଳର ପାଣିଭଣ୍ଡାର ଗ୍ରାମରେ ଏକ ବାଲ୍ୟ ବିବାହ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଅଭିଯୋଗ ଆସିଥିଲା । ସୂଚନା ପାଇଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନେତୃତ୍ଵରେ ତିଳେଇବଣୀର ସିଡିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ବନ୍ଦିତା ରାଉତରାୟ ଓ ଚାଇଲ୍ଡ ଲାଇନ , ସଖୀ କେନ୍ଦ୍ରର କର୍ମକର୍ତା ଓ ଲଇମୁରା ପୋଲିସ ସଦଳବଳ ଘଟନା ସ୍ଥଳରେ ପହଞ୍ଚି ବାଲ୍ୟ ବିବାହକୁ ରୋକୀ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ କୁଚିଣ୍ଡାର କୁସୁମି ଅଞ୍ଚଳରୁ ଟିକେଶ୍ଵର ଶବର ନିଜ ପୁଅ ଜିତୁ ଶବର ସହ ପାଣିଭଣ୍ଡାର ଗ୍ରାମକୁ ଆସି ଜଣେ ନାବାଳିକା ସହ ନିର୍ବନ୍ଧ କରିକି ଯାଇଥିଲେ । ନିର୍ବନ୍ଧର ଖବର ପାଇ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ୱାର୍ଡ ମେମ୍ବର ଝିଅର ବୟସ ୧୭ ବର୍ଷ ହୋଇଥିବାରୁ ସେମାନଙ୍କୁ ଏ ବାଲ୍ୟ ବିବାହରୁ ନିବୃତ ରହିବାକୁ ବୁଝା ସୁଝା କରିଥିଲେ ।

ହେଲେ ମହୁଲପଦା ଥାନାରେ କାର୍ଯ୍ୟରତ ଝିଅର ମାମୁ ପୋଲିସ କଥା ମୁଁ ବୁଝିବି କହି ନିର୍ଭୟରେ ଏ ବିବାହକୁ ସମ୍ପନ୍ନ କରିବାକୁ ଆଶ୍ଵାସନା ଦେଇ ଆଜି ଭାଣେଜୀର ବାହାଘର ପାଇଁ ଲାଗିପଡିଥିଲେ । କୁଚିଣ୍ଡାର କୁସୁମି ଗ୍ରାମରୁ ବାଜା ବରଯାତ୍ରୀ ସହ ବର ଆସି ପହଞ୍ଚି ଥିଲା । ବାହାଘର ପାଇଁ ମଣ୍ଡପ ସଜା ହୋଇଥିଲା , ବରଯାତ୍ରୀ , ସାହି ସମାଜ , କୂଣିଆମାନେ ମଧ୍ୟ ଭୋଜି ଖାଇବା ଆରମ୍ଭ କରି ଦେଇଥିଲେ । ଏହି ସମୟରେରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଲାଇନ ପକ୍ଷରୁ ପୋଲିସର ସହାୟତାରେ ଅଚାନକ ଚଢାଉ ହୋଇଥିଲା ଓ ବାଲ୍ୟ ବିବାହକୁ ପ୍ରତିହତ କରଯାଇଥିଲା । ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ବନ୍ଦିତା ରାଉତରାୟଙ୍କ ଏତଲା କ୍ରମେ ବରପିଲାକୁ ବାହା ବେଦୀରୁ ଉଠାଇ ଥାନାରେ ଅଧିକ ତଦନ୍ତ ପାଇଁ ଅଟକ ରଖା ଯାଇଛି । ନାବାଳିକା ଝିଅକୁ ଉଦ୍ଧାର କରି ସଖୀ କେନ୍ଦ୍ରରେ ଅନୁଷ୍ଟାନିକ ଯତ୍ନ ମଧ୍ୟରେ ରଖା ଯାଇଛି । ଆସନ୍ତା କାଲି ସଖୀ କେନ୍ଦ୍ର ଓ ଚାଇଲ୍ଡଲାଇନ ପକ୍ଷରୁ ନାବାଳିକା ଝିଅକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପିତ କରାଯିବ । ଏହି ବାଲ୍ୟ ବିବାହକୁ ବନ୍ଦ କରିବା ସମୟରେ ବିଭାଗୀୟ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁଙ୍କ ସମେତ ଲଇମୁରା ଥାନା ଅଧିକାରୀ ପଙ୍କଜ ମାଝି , ସଖୀ କେନ୍ଦ୍ରର ଜ୍ୟୋତିର୍ମୟୀ ସାହୁ , ସୁନିତା ପ୍ରଧାନ , ଚାଇଲ୍ଡ ଲାଇନର ଲିଙ୍ଗରାଜ ପ୍ରଧାନ , ସୁଜିତ ନାୟକ , ପିଙ୍କୁ ମୁଣ୍ଡା , ତପସ୍ଵିନୀ ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ ।