ବାରକୋଟ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା


ଦେବଗଡ଼ (କୋଶଲ ନ୍ୟୁଜ୍):- କଣ୍ଢଳ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୁଶ୍ରୀ ଗାୟତ୍ରୀ ସାହୁ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବାରକୋଟ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଦେବଗଡ଼ ଡି.ଆଇ.ଇ.ଟି. ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୌଡ଼, ମୁଖ୍ୟବକ୍ତା ଭାବରେ ବାରକୋଟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଭିନ୍ନ ଚନ୍ଦ୍ର ପାଇକରାୟ, ସମ୍ମାନିତ ଅତିଥି ଭାବରେ କଣ୍ଢଳ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତପନ କୁମାର ଗଡ଼ନାୟକ , କଣ୍ଢଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ବେହେରା , ବାରକୋଟ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ବୀଣାପାଣି ସାହୁ ମଞ୍ଚାସିନ ଥିଲେ । ନିପୁଣ ଭାରତର ଗୋଟିଏ ଅଂଶ ନିପୁଣ ଓଡ଼ିଶା । ନିପୁଣ ଓଡ଼ିଶା ଉତ୍କର୍ଷତାର ଗୋଟିଏ ବିଶେଷ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ଶିକ୍ଷା ବିଭାଗ । ଜାତୀୟ ଶିକ୍ଷାନୀତି(NEP)- 2020 ରେ ଶିକ୍ଷାର ପୁନର୍ବିନ୍ଯାସ କରାଯାଇଛି । ୨୦୨୬ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ଅନ୍ୟୁନ୍ୟ ଓଡ଼ିଆ ଭାଷା ପଢ଼ିପାରିବେ ,ବୁଝିବେ ଓ ଲେଖିପାରିବେ ଏବଂ ସମସ୍ତ ପିଲା ଯୋଗ,ବିୟୋଗ,ଗୁଣନ ଓ ହରଣ ସମ୍ବନ୍ଧୀୟ ଗାଣିତିକ ଚାରିସୂତ୍ରକୁ ପ୍ରୟୋଗ କରି ଗାଣିତିକ ଭାଷାକୁ ବୁଝିପାରିବେ । ଏହା ସହିତ ପିଲାମାନଙ୍କର ସୃଜନଶୀଳତାର ପରିପ୍ରକାଶ ପାଇଁ ପର୍ଯ୍ଯାପ୍ତ ସୁବିଧା ଉପଲବ୍ଧ କରାଯାଇପାରୁଥିବ । ଏଥିପାଇଁ ଏହି ନିପୁଣ ଓଡ଼ିଶା ମେଳାରେ ଭାଷା ବଗିଚା, ଗଣିତ ହାଟ ,ସୃଜନଶୀଳତା ଷ୍ଟଲ ତିଆରି କରି ଆଜିର ଶିକ୍ଷାନୀତିକୁ ବ୍ୟାପକ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ଯକ୍ରମରେ ୧୫୦ ଜଣ ଛାତ୍ରଛାତ୍ରୀ ,୧୨୦ ଜଣ ଅଭିଭାବକ ଓ ଅଭିଭାବିକାଙ୍କ ସହ ବାରକୋଟ ବ୍ଲକର ୧୭ ଜଣ ଆଞ୍ଚଳିକ ସାଧନ ସଂଯୋଜକ ଯୋଗ ଦେଇଥିଲେ । ପ୍ରତି ବିଦ୍ୟାଳୟର FLN ଶିକ୍ଷକ ବା ଶିକ୍ଷୟିତ୍ରୀ ଯୋଗ ଦେଇ ୪୨ଟି ସଂଖ୍ୟା ଜ୍ଞାନ ମଡ଼େଲ ଓ ୫୧ ଟି ସାକ୍ଷରତା ଭାଷା ଜ୍ଞାନ ଷ୍ଟଲ ମଡ଼େଲ ପ୍ରଦର୍ଶନ କରିଥିଲେ । ସମସ୍ତ ଅତିଥି ବୄନ୍ଦ ଷ୍ଟଲ ପରିଦର୍ଶନ କରି ଶିକ୍ଷାର ଉନ୍ନତିରେ ଏହି ପ୍ରକାର ମଡ଼େଲ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆପ୍ରାଣ ଉଦ୍ୟମ ପିଲାମାନଙ୍କର ଶିକ୍ଷଣରେ ସହଯୋଗୀ ହେବ ବୋଲି ମତ ପୋଷଣ କରିଥିଲେ । ସମସ୍ତ FLN ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷା ବିଭାଗ ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ନିପୁଣ ଓଡ଼ିଶା ମେଳା କାର୍ଯ୍ଯସୂଚୀର ମଞ୍ଚ ପରିଚାଳନା ଶ୍ରୀଯୁକ୍ତ କୁମୁଦବଂଧୁ ପ୍ରଧାନ କରିଥିବା ବେଳେ ସହଯୋଗ କରିଥିଲେ କଣ୍ଢଳ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ତଥା ବାରକୋଟ ବ୍ଲକର ସମସ୍ତ ସି.ଆର. ସି. ସି. । ସର୍ବଶେଷରେ ଶ୍ରୀଯୁକ୍ତ ପ୍ରଭାତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...