ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୧୦ ମାଓବାଦୀ


ମାଲକାନଗିରି (କୋଶଲ ନ୍ୟୁଜ୍):- ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଭୟଭୀତ ହୋଇ ଆତ୍ମସମର୍ପଣ କଲେ ୧୦ ମାଓବାଦୀ। ଏମାନେ ସମସ୍ତେ ହେଉଛନ୍ତି ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୁଣ୍ଡ ଉପରେ ପୂର୍ବରୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ AOB ଡିଭିଜନର ସଦସ୍ୟ, CNM ସଭାପତି, DKMS ସଭାପତି, PLGA ସଦସ୍ୟ ଓ ଜନତାନା ସରକାର ସଦସ୍ୟ ଅଛନ୍ତି। ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି।
ମାଓମୁକ୍ତ ଭାରତ ଗଠନ ହେବା ଲାଗି ତାରିଖ ଘୋଷଣା ହେବା ପରେ ୨୦୨୪ରେ ଛତିଶଗଡରେ ୧୮୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛ୍ତି। ସେହିଭଳି ୫୮ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ସେହିପରି ୫୦୩ ଜଣ ମାଓବାଦୀ ପୋଲିସ ହାତରେ ଗିରଫ ହେବା ପରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ୨୦୨୫ ଜାନୁଆରୀ ମାସରେ ୨୩ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ୪୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଓ ୧୭ ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି।

Comments
Loading...