ଶ୍ରୀଜଗନ୍ନାଥ ଏକ୍ସପ୍ରେସରେ ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ-ମୁଖ୍ୟମନ୍ତ୍ରୀ

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲା ସଦର ମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍‌ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧିନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲା ଗୁଡିକ ହେଲା-ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି। ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପଣ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ସୁବିଧା ଦର୍ଶନର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ୍‌ସେବା ଆରମ୍ଭ ହେଲା। ଆପଣମାନେ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରରେ ଉପସ୍ଥିତ ଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ ସାଧାରଣ ଲୋକଙ୍କ ପ୍ରତିଶୃତି ପୂରଣ କରିବାରେ ମୁଖ୍ୟମନ୍ତ୍ରୀଙ୍କର ତୁଳନା ନାହିଁ। ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଏ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଅଧିକ ସଶକ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମର ମଙ୍ଗ ଧରି ୫-ଟି ଅଧ୍ୟକ୍ଷ ସବୁ ଯୋଜନା ସଫଳ କରୁଛନ୍ତି ବୋଲି ସେ କହିଥିଲେ।

୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଭୂପିନ୍ଦର ସିଂହ, ଉନ୍ନୟନ କମିଶନର ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments
Loading...