ଫୋକସ୍‌ରେ ଲୋୟର ସୁକତେଲ୍‌: ପ୍ରକଳ୍ପ ପାଲଟିବ ରାଜନୀତିର ପ୍ରସଙ୍ଗ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ଆଗାମୀ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିବ; ଏହା ସଂପ୍ରତି ବଲାଙ୍ଗୀର ରାଜନୈତିକ ବାତାବରଣରୁ ଠଉରାଇ ହେଉଛି। ଗତ ୩ ତାରିଖ ଏଥିପାଇଁ ୨୭୨୩ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ହେଲା। ମଞ୍ଚ ଉପରେ ଏବଂ ମଞ୍ଚ ତଳେ ଏହି ପ୍ରକଳ୍ପକୁ ନେଇ ରାଜନୀତି ଚରମସୀମାରେ ପହଞ୍ଚିଛି। ମଞ୍ଚ ଉପରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ। ବିନା ପାଣି ଥାଇ ପ୍ରକଳ୍ପ ଉଦ୍‌ଘାଟନ ଏକ ତରବରିଆ ପ୍ରକ୍ରିୟା ବୋଲି ଶ୍ରୀ ମିଶ୍ର ଗୋଟିଏ ହିସାବରେ ସରକାରୀ ଦଳକୁ ତାଚ୍ଛଲ୍ୟ କଲା ଭଳି ମନ୍ତବ୍ୟ ଦେଇଥିଲେ। ତାହା ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ। ମୁଖ୍ୟମନ୍ତ୍ରୀ ସୁଇଚ୍‌ ଚିପି ଆନୁଷ୍ଠାନିକ ଭାବେ ପ୍ରକଳ୍ପର ଉଦ୍‌ଘାଟନ କଲାବେଳେ ମଞ୍ଚାସୀନ ସବୁ ଅତିଥି କରତାଳି ଦେଉଥିବା ବେଳେ ଶ୍ରୀ ମିଶ୍ର ସେ୬ଜନ୍ୟ ଦୃଷ୍ଟିରୁ ମଧ୍ୟ କରତାଳି ନ ଦେବା ନେଇ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଥିଲା। ତେବେ ମଞ୍ଚରେ ଅଭିଭାଷଣ ରଖି ବିଜେଡିର ଦୁଇ ତୁଙ୍ଗ ନେତା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଟୁକୁନି ସାହୁ ବକ୍ତବ୍ୟ ମାଧ୍ୟମରେ ପରୋକ୍ଷ ଭାବେ ଶ୍ରୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ।

ମନ୍ତ୍ରୀ ଟୁକୁନି ସାହୁ ବିକାଶକୁ ବିରୋଧ କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ମଧ୍ୟ ଲୋୟର ସୁକତେଲ୍‌ରେ ପର୍ଯ୍ୟାପ୍ତ ପାଣି ରହିଛି ବୋଲି ଉଲ୍ଲେଖ କରି ବିଧାୟକ ଶ୍ରୀ ମିଶ୍ରଙ୍କ ଟିପ୍ପଣୀକୁ ଚେକ୍‌ମେଟ୍‌ ‌ଦେବାକୁ ଉଦ୍ୟମ କରିଥିଲେ। ତେବେ ଏହି ବାକ୍‌ବିତଣ୍ଡା ମଞ୍ଚ ଉପରେ ସୀମିତ ନଥିଲା। ଉଦ୍‌ଘାଟନୀ ସଭା ସମୟରେ ବିଜେଡି ଭଡ଼ାଟିଆ ଭାବେ ମହିଳାଙ୍କୁ ଆଣି ସମା‌ବେଶରେ ସାମିଲ କରିଥିବା ବିଧାୟକ ଶ୍ରୀ ମିଶ୍ର ଖୋଲାଖୋଲି କହିଥିଲେ। ଏହାକୁ ନେଇ ବିଜେଡି କର୍ମୀ ଲିଖିତ ଭାବେ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ପୂର୍ବତନ ସାଂସଦ ତଥା ବିଜେଡି ନେତା କଳିକେଶ ସିଂହଦେଓ ପୂର୍ବରୁ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସମାଲୋଚନା କରିବାର ଉଦାହରଣ ଥିଲେ ମଧ୍ୟ ଏ ଥର ତାଙ୍କ ସମାଲୋଚନା ଶାଣିତ ଥିଲା। ଶ୍ରୀ ମିଶ୍ର ନିଜ ରାଜନୈତିକ ଜୀବନରେ କେବଳ ନିଜ ଭାଇ, ପୁଅ ଓ ପୁତୁରାଙ୍କ ପାଇଁ ବିକାଶ କରିଛିନ୍ତି ବୋଲି ଅଭିଯୋଗ କରିଥିଲେ। ଏମିତିରେ ଶ୍ରୀ ମିଶ୍ର ନିଜ ପୁତ୍ରଙ୍କ ପାଇଁ ବିଜେଡି ଟିକେଟ୍ ଯୋଗାଡ଼ରେ ଲାଗିଛନ୍ତି ବୋଲି ପୂର୍ବରୁ ଆଲୋଚନା ହୋଇଆସୁଥିଲା। ତେବେ ପ୍ରକଳ୍ପ ଉଦ୍‌ଘାଟନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସରକାରଙ୍କୁ ସିଧା ସମାଲୋଚନା କରିବା ଦ୍ବାରା ସେଭଳି ସମ୍ଭାବନା ଆଉ ନାହିଁ ବୋଲି କୁହାଯାଉଛି।

ଗଣମାଧ୍ୟମ ଆଗରେ, ମଞ୍ଚ ଉପରେ ଏବଂ ମଞ୍ଚ ତଳର ଏହି ଟକ୍କର ବଲାଙ୍ଗୀର ଜିଲ୍ଲାର ରାଜନୀତି ପାଣିପାଗକୁ ଉଷ୍ଣ କରିଛି। ତେଣୁ ନିର୍ବାଚନ ବେଳେ ଲୋୟର ସୁକତେଲ୍‌ ପ୍ରକଳ୍ପର ଅଗ୍ରଗତି ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବା ନିଶ୍ଚିତ। ନିର୍ବାଚନକୁ କମ୍ ସମୟ ଥିବାରୁ ପ୍ରକଳ୍ପକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ କରିବା ସହ ନିର୍ଦ୍ଧାରିତ ଏକ ଲକ୍ଷ ଏକର ଜମିକୁ ପାଣି ଏବଂ ୭୦ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବା ସରକାରଙ୍କ ପାଇଁ ଚାଲେଞ୍ଜ ରହିବ। ସରକାରଙ୍କ କହିବାନୁସାରେ ୨୦୨୪ ଖରିଫ ବେଳକୁ ଆଂଶିକ ଏବଂ ୨୦୨୫ ଖରିଫ୍‌ ସୁଦ୍ଧା ସଂପୂର୍ଣ୍ଣ ଜଳସେଚନ ସୁବିଧା ଉପଲବ୍ଧ ହେବ। ଭୂତଳ ପାଇପ୍‌ ଲାଇନ ଯୋଗେ କାମ ସରିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ବିଳମ୍ବ ହେଲେ ‌ଘେରିବାକୁ ବିରୋଧୀଙ୍କ ପାଇଁ ‌ସୁଯୋଗ ମିଳିବ। ଅନ୍ୟପକ୍ଷରେ, ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ସ୍ବର ଶାଣିତ କରିବାକୁ ସୁଯୋଗ ଖୋଜୁଛି। ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ୧୦ ହଜାର ପାଖାପାଖି ଲୋକେ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଲେ ଭୋଟର୍‌। ନିର୍ବାଚନ ଦୃଷ୍ଟିକୋଣରୁ ଏହା ଏକ ମୋଟା ଭୋଟ୍‌ ବ୍ୟାଙ୍କ। ତେଣୁ ବିସ୍ଥାପିତଙ୍କୁ ସନ୍ତୁଷ୍ଟ କରି ଏହାକୁ ଭୋଟ୍‌ ବ୍ୟାଙ୍କରେ ରୂପାନ୍ତର କରିବାକୁ ସବୁ ଦଳ ସୁଯୋଗ ଜୁଟାଇବା ଅପେକ୍ଷାରେ।

Comments
Loading...